spot_img

Latest Posts

ସରକାରୀ ଯୋଜନାରୁ ବଞ୍ଚିତ ଡଙ୍ଗରିଆ କନ୍ଧ, ମିଳୁନି ସ୍ବାସ୍ଥ୍ୟ, ଶିକ୍ଷା ସହ ଗମନାଗମନ ସୁବିଧା

ରାୟଗଡା : ଗଲା ଦୁଇ ଦଶନ୍ଧୀ ଧରି ଲାଲ ସଂଗଠନରୁ ମୁକୁଳି ପାରିନଥିଲା ରାୟଗଡାର ନିୟମଗିରି ଅଞ୍ଚଳ । ମାଓ ଭୟରେ ଏଠି ସରକାରୀ ଅଧିକାରୀଙ୍କ ପାଦ ପଡୁନଥିଲା । ଏବେ ପ୍ରାୟ ମାଓ ମୁକ୍ତ ହୋଇଛି ନିୟମଗିରି ଅଞ୍ଚଳ । ତଥାପି ଅନ୍ଧାରରେ ରହୁଛନ୍ତି ଏହି ଆଦିମ ଜନଜାତି । ପିଡିଏସ ଚାଉଳ ପାଇବା ପାଇଁ ପ୍ରାୟ ୧୫ କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି । ଗାଁକୁ ପକ୍କା ରାସ୍ତା ନଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଧ୍ୟ ସଂପୂର୍ଣ୍ଣ ହୋଇପାରୁନି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ନଥିବା ବେଳେ ଅନେକ ଶିଶୁ ସ୍କୁଲକୁ ଯିବା ପରିବର୍ତ୍ତେ ଘରେ ରହିଛନ୍ତି । ଦଶନ୍ଧୀ ଦଶନ୍ଧୀ ଧରି ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଆଦିମ ଜନଜାତି ଏବେ ଜିଲ୍ଲାପାଳଙ୍କୁ ନିଜର ଦାବି ଜଣାଇଛନ୍ତି ।…

ଗତ ଏକ ଦଶନ୍ଧୀ ଧରି ନିୟମଗିରି ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ବିକାଶ ବାଟ ହୁଡିବା ସହ ଅନୁଦାନକୁ ବିଭିନ୍ନ ଉପାୟରେ ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି । ପାହାଡରେ ଚାଷ ହେଉଥିବା ଦ୍ରବ୍ୟର ବଜାରୀକରଣ ହେଇପାରୁନଥିବା ବେଳେ ଲୋକମାନେ ଶୋଷଣର ଶିକାର ହେଉଛନ୍ତି । ତେଣୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପରି ରୋଜଗାରର ଉନ୍ନତି ପାଇଁ ଜିଲ୍ଲାପାଳଙ୍କୁ ନିଜର ଦାବି ଜଣାଇଛନ୍ତି । ଲୋକମାନଙ୍କ ସମସ୍ୟା ଶୁଣିବା ସହ ଦାବି ଶୀଘ୍ର ପୂରଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଓ ଓପେଲିପ ମାଧ୍ୟମରେ ନିୟମଗିରି ଅଞ୍ଚଳରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତଥାପି ଅନେକ ଡଙ୍ଗରିଆ ଜନଜାତି ବିକାଶର ସ୍ବାଦ ଚାଖି ପାରିନାହାନ୍ତି । ଏବେ ପ୍ରଶାସନର ଦ୍ବାରସ୍ଥ ହେବା ପରେ ନିୟମଗିରି ଅଞ୍ଚଳବାସୀ କେତେ ସ୍ବାବଲମ୍ବୀ ହେଇପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Latest Posts

Don't Miss