ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ପ୍ରତିଦିନ ବାଜିରେ ଲାଗୁଛି ଜୀବନ

ରାୟଗଡ଼ା: ଅଣ୍ଡର ଗ୍ରାଉଣ୍ଡ ରାସ୍ତା ବନ୍ଦ । ଫଳରେ ଅସୁରକ୍ଷିତ ରାସ୍ତା ବାଛିଛନ୍ତି ଜନସାଧାରଣ । ଏକ ଓଭର ବ୍ରିଜ ରହିଥିବା ବେଳେ ଅତ୍ୟଧିକ ଗାଡି ମଟର ଚଳାଚଳ ଯୋଗୁ ତାହା ମଧ୍ୟ ବିପଦପୂର୍ଣ୍ଣ ପାଲଟିଛି । ଫଳରେ ଲୋକେ ଏବେ ଟ୍ରେନ ଲାଇନ୍ ପାରକରି ଯାତ୍ରା କରୁଛନ୍ତି । ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ପ୍ରତିଦିନ ବାଜିରେ ଲାଗୁଛି ଜୀବନ । ପାର ହେବାକୁ ପଡୁଛି ମୃତ୍ୟୁର ପଥ । ବାଧ୍ୟ ହୋଇ ବିପଦପୂର୍ଣ୍ଣ ରାସ୍ତା ବାଛୁଛନ୍ତି ଛାତ୍ରଛାତ୍ରୀ ଜନସାଧାରଣ ।

ରାୟଗଡା ସହରର ଟ୍ରେନ ଲାଇନ କଡ଼ । ପ୍ରତିଦିନ ସ୍କୁଲ କଲେଜ ଯିବାକୁ ଛାତ୍ରଛାତ୍ରୀ ଟ୍ରେନ ଲାଇନ ପାର କରୁଛନ୍ତି । ଏପରି ସ୍ଥାନୀୟ ଲୋକେ ମଧ୍ୟ ଜରୁରୀ କାମ ପାଇଁ ଏହି ରାସ୍ତାକୁ ବାଛିଛନ୍ତି । କାରଣ ଲୋକଙ୍କ ପ୍ରତିଦିନର ଜୀବନ ଯାତ୍ରାର ରାହା ସାଜିଥିବା ଏକ ଅଣ୍ଡର ଗ୍ରାଉଣ୍ଡ ରାସ୍ତା ଉପଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବନ୍ଦ କରିଦିଆଯାଇଛି । ରେଳ ବିଭାଗ ତରଫରୁ ତୃତୀୟ ଲାଇନ ନିର୍ମାଣ ପାଇଁ ଏହି ରାସ୍ତାକୁ ବନ୍ଦ କରିଦିଆଯାଇଛି । ଜାତୀୟ ରାଜ ପଥ ବିଭାଗ ଅଧୀନରେ ରହିଥିବା ଏକ ଦୁର୍ବଳ ଓଭର ବ୍ରିଜରେ ମଧ୍ୟ ଅତ୍ୟଧିକ ଗାଡି ମଟର ଯିବାଆସିବା କରୁଛି ।  ଫଳରେ ଲୋକେ ବାଧ୍ୟ ହୋଇ ଟେନଲାଇନ୍ ପାରକରି ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ।

ରେଳ ବିଭାଗର ତୃତୀୟ ଲାଇନ କେବେ ସରିବ ? କେତେ ଦିନ ପର୍ଯ୍ୟନ୍ତ ଏହି ରାସ୍ତା ବନ୍ଦ ରହିବ ? ବିକଳ୍ପ ବ୍ୟବସ୍ଥା ବିଷୟ ନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କଣ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ସହରର ବୁଦ୍ଧିଜୀବୀ । ଏନେଇ ଅଣ୍ଡର ଗ୍ରାଉଣ୍ଡ ରାସ୍ତା ଅତିଶୀଘ୍ର ଖୋଲିବାକୁ ଦାବି ଏବେ ଜୋର ଧରିଛି  ।