ରାୟଗଡାରେ ପଥର ମାଫିଆଙ୍କ ରାଜ: ବନ୍ଦ ପଡିଥିବା ୨୮ଟି ଖଣି ଖାଦାନରୁ ବେଧଡକ ଲୁଟ୍
1 min read
ନନ୍ଦିଘୋଷ ବ୍ୟୁରୋ: ସକ୍ରିୟ ପଥର ମାଫିଆ । ବେଧଡକ ଭାବେ ଲୁଟିନେଉଛନ୍ତି ପଥର । ରାୟଗଡାରେ ନିଲାମ ଅବଧି ସରିଯାଇଥିବା ଖଣି ଖାଦାନରୁ ଲୁଟ୍ । ଚୋରା ଚାଲାଣରେ ବ୍ରେକ୍ ଲଗାଇବାରେ ଅସମର୍ଥ ବିଭାଗ । ଯାହା ଫଳରେ ଖଣି ମାଫିଆ ମାଲାମାଲ ହେଉଥିବା ବେଳେ କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର ।
ମାତିଛନ୍ତି ପଥର ମାଫିଆ । ବେଧଡକ ଲୁଟିନେଉଛନ୍ତି ପଥର । ଚୋରାଚାଲାଣରେ ବ୍ରେକ ଲଗାଇବାରେ ଅସମର୍ଥ ବିଭାଗ । ଏବେ ପଥର ମାଫିଆଙ୍କ ଚରାଭୂମି ପାଲଟିଛି ରାୟଗଡା ଜିଲ୍ଲା । ସରକାରଙ୍କ ସବୁ ନିୟମକୁ ଫୁ କରି ବନ୍ଦ ପଡିଥିବା ୨୮ଟି ପଥର ଖାଦାନରୁ ବେଆଇନ ଭାବେ ପଥର ଲୁଟିନେଉଛନ୍ତି ମାଫିଆ । ରାତିରେ ବ୍ଲାଷ୍ଟିଂ କରି ଟିପ୍ପର ଯୋଗେ ଚୋରା ଚାଲାଣ କରାଯାଉଛି । ନିଲାମ ଅବଧି ସରିଯାଇଥିବା ଖଣି ଖାଦାନରୁ ପୁନର୍ବାର ନିଲାମ ନକରି ନିଲାମକାରୀଙ୍କ ସହ ମିଳିମିଶି ବିଭାଗୀୟ ଅଧିକାରୀ ପଥର ଲୁଟିନେଉଥିବା ଅଭିଯୋଗ ।
ଖଣି ଅଧିକାରୀଙ୍କ କାର୍ଯ୍ଯାଳୟରୁ ମିଳିଥିବା ସୂଚନା ଅନୁସାରେ ରାୟଗଡା ଜିଲ୍ଲାରେ ସମୁଦାୟ ୮୮ ଟି ପଥର ଖାଦାନ ରହିଥିବା ବେଳେ ସେଥିମଧ୍ୟରୁ ୬୦ଟି ପଥର ଖାଦାନ ଚାଲୁଛି । ବାକି ୨୮ଟି ବନ୍ଦ ରହିଛି । ପଥର ଖାଦାନ ଯେତେବେଳେ ତହସିଲ ଅଧୀନରେ ଥିଲା ସେତେବେଳେ ଅଧିକ ପରିମାଣର ରାଜସ୍ୱ ଆଦାୟ ହୋଇଥିଲା । ୨୦୨୨-୨୩ ରେ ୩ କୋଟି ୫୩ ଲକ୍ଷ ୭୯ ହଜାର ୪୧୫ଟଙ୍କା ଓ ୨୦୨୩-୨୪ରେ ୪ କୋଟି ୪୭ ଲକ୍ଷ ୯୦ ହଜାର ୬୮ ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା । କିନ୍ତୁ ୨୦୨୩-୨୪ ମସିହା ଜୁନ ମାସରେ ପଥର ଖାଦାନ ଗୁଡିକ ତହସିଲ କାର୍ଯ୍ୟାଳୟ ଅଧିନରୁ ଖଣି ଅଧିକାରୀଙ୍କ ଅଧିନକୁ ଆସିବା ପରେ ରାଜସ୍ୱ ପରିମାଣ କମିଯାଇଛି । ଏପଟେ ଖଣି ଅଧିକାରୀ କହିଛନ୍ତି, ଆମ ଅଧୀନରେ ଥିବା ସମସ୍ତ କୁଆଁରୀ ଅବଧି ସରିନାହିଁ । ଏଠି ପ୍ରଶ୍ନ ଉଠୁଛି- ପଥର ଖାଦାନାରେ ବେଧଡ଼କ ଲୁଟ ଚାଲିଥିଲେ ବି ବିଭାଗୀୟ ଅଧିକାରୀ ଚୁପ କାହିଁକି ? ନା ପଥର ମାଫିଆ ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଚୋରା ଚାଲାଣ ।