ଆଦିବାସୀଙ୍କ ରୋଜଗାରର ମାଧ୍ୟମ ସାଜିଛି ବାଉଁଶ କରଡ଼ି, ପାରମ୍ପରିକ ଜଙ୍ଗଲୀ ଖାଦ୍ୟ ସାମଗ୍ରୀକୁ ବିକ୍ରି କରି ମେଣ୍ଟୁଛି ଗୁଜୁରାଣ

ରାୟଗଡ଼ା: ଆଦିବାସୀଙ୍କ ରୋଜଗାର ମାଧ୍ୟମ ସାଜିଛି ବାଉଁଶ କରଡି । ଜଙ୍ଗଲୀ ଖାଦ୍ୟ ସାମଗ୍ରୀକୁ ବିକ୍ରି କରି ମେଣ୍ଟୁଛି ଗୁଜୁରାଣ । ବଜାରରେ ମଧ୍ୟ କରଡ଼ିର ରହିଛି ଢେର ଚାହିଦା । ବାଉଁଶ ଗଛର ଗଜାରୁ ବାହାରିଥାଏ କରଡି । ରାୟଗଡା ଜିଲ୍ଲା ନିୟମଗିରି ଅଂଚଳର କଲ୍ୟାଣସିଂହପୁର, ଚାଟିକଣା, ମୁନିଗୁଡା, ବିଷମ କଟକ ବଜାରରେ ଅଧିକ ପରିମାଣରେ ଦେଖିବାକୁ ମିଳେ ଏହି ଖାଦ୍ୟ ଦ୍ରବ୍ୟ । ଡଙ୍ଗରିଆମାନେ କେବଳ ନିୟମଗିରି ପାଦଦେଶରେ ରହିଥିବା ହାଟମାନଙ୍କରେ ଏହାକୁ ବିକ୍ରି କରୁଥିବା ବେଳେ ଅନ୍ୟ ଅଞ୍ଚଳକୁ ବ୍ୟବସାୟୀମାନେ କିଣି ନେଇ ବିକ୍ରି କରିଥାନ୍ତି । ଏହାକୁ ବିକ୍ରି କରି ଦୁଇ ପଇସା ଭଲ ରୋଜଗାର କରୁଛନ୍ତି ଡଙ୍ଗରିଆ ପରିବାର ।

କରଡ଼ି ବାହାର ବଜାରକୁ ଆସିବା ବେଳେ ମୂଲ୍ୟ ଦୁଇଗୁଣ ବଢିଯାଇଥାଏ । ତଥାପି ଏହାର ସ୍ବାଦ ନିଆରା ହୋଇଥିବାରୁ ଲୋକେ ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରନ୍ତି । ଏହା ଏକ ସୁସ୍ଵାଦୁ ଖାଦ୍ୟ ପଦାର୍ଥ ତାହା ନୁହେଁ ଏଥିରେ ଭରପୁର ରହିଛି ରୋଗ ପ୍ରତିଷେଧକ ଶକ୍ତି । କରଡି ଖାଇବା ଦ୍ବାରା ଡାଇବେଟିସ, ବ୍ଲଡପ୍ରେସର, କୋଲେଷ୍ଟଲ ଭଳି ଅନେକ ପ୍ରକାର ରୋଗ ନିୟନ୍ତ୍ରଣ ହୋଇପାରୁଥିବା କହିଛନ୍ତି ଡାକ୍ତର ।