ଶିକ୍ଷିତ ଦମ୍ପତିଙ୍କୁ ସ୍ଵାବଲମ୍ବୀ କରିଛି ଛତୁ ଚାଷ

1 min read

ରାୟଗଡ଼ା: ଶିକ୍ଷିତ ଦମ୍ପତିଙ୍କୁ ସ୍ଵାବଲମ୍ବୀ କରିଛି ଛତୁ ଚାଷ । ଉଚ ବେତନ ଚାକିରି ଛାଡି ନିଜ ଭିଟା ମାଟିରେ ନିଜ ସ୍ତ୍ରୀ ସହ ଛତୁ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଉଭୟ ସ୍ବାମୀ ସ୍ତ୍ରୀ ଗ୍ରାଜୁଏଟ୍ ହୋଇଥିଲେ ମଧ୍ୟ ଚାକିରି ପ୍ରତି  ବିମୁଖ ହୋଇ ଛତୁ ଚାଷ କରି ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ୟ ଦୁଇ ଜଣଙ୍କୁ ସ୍ଵାବଲମ୍ବୀ କରିବାରେ ସକ୍ଷମ ହୋଇପାରିଛନ୍ତି ।

ଛତୁ ଚାଷ ଦେଇଛି ରୋଜଗାର । ଶିକ୍ଷିତ ଦମ୍ପତିଙ୍କୁ ଦେଖାଇଛି ସ୍ବାଭିମାନର ସହ ବଞ୍ଜିବାର ରାହା । ଚାକିରି ପଛରେ ନ ଗୋଡାଇ ଏବେ ଚାଷରେ ମସଗୁଲ ରାୟଗଡା ପଦ୍ମପୁର ଗାଁର ଶ୍ରୀଖଣ୍ଡ ମଣ୍ଡନ ସାହୁ ଓ ସାବିତ୍ରୀ । ସ୍ବାମୀ-ସ୍ତ୍ରୀ ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଗ୍ରାଜୁଏସନ୍ । ଶ୍ରୀଖଣ୍ଡ ବିଭିନ୍ନ ବେସରକାରୀ ସଂସ୍ଥାରେ ଚାକିରି କରି ଭଲ  ଦରମା ମଧ୍ୟ ପାଉଥିଲେ  । ହେଲେ ନିଜ ଜନ୍ମ ମାଟିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ନିଶା ତାଙ୍କୁ ଟାଣିଆଣିଛି । ଏବେ ସେ ଅଞ୍ଚଳରେ ସଫଳ ଛତୁଚାଷୀ ଭାବେ ପରିଚୟ ପାଇଛନ୍ତି  । ନିଜେ ରୋଗାରକ୍ଷମ ହେବା ସହ ଅନ୍ୟକୁ ବି ରୋଜଗାର ଯୋଗାଇପାରିଛନ୍ତି । ଚାକିରି ପଛରେ ଗୋଡାଇ ଚାଷରୁ ମୁହଁ ଫେରାଉଥିବା ଯୁବ ଗୋଷ୍ଠୀଙ୍କ ପାଇଁ ଏହି ଦମ୍ପତି ପ୍ରେରଣାର ଉତ୍ସ ପାଲଟିଛନ୍ତି ।

ଛତୁ ଚାଷ ପାଇଁ ଆବଶ୍ୟକୀୟ ବିହନ ବ୍ରହ୍ମପୁର ଓ ଗୁଣୁପୁରସ୍ଥିତ ଗାନ୍ଧୀ ବିଶ୍ବ ବିଦ୍ୟାଳୟରୁ ଆଣି ଛତୁ ଚାଷ ଆରମ୍ଭ କରିଥିଲେ ଏହି ଦମ୍ପତି । ବର୍ତମାନ ଏହି ଦମ୍ପତିଙ୍କ ଫାର୍ମରେ 720ରୁ ଅଧିକ ବେଡ ଛତୁ ଚାଷ ପାଇଁ ପ୍ରସ୍ତୁତ ହୋଇ ରହିଛି । ଦୈନିକ 15 କିଲୋରୁ ଅଧିକ ଛତୁ ଉତ୍ପାଦିତ ହେଉଛି । ଛତୁ କିଲୋ ପିଛା ୨୦୦ରୁ ୨୮୦ ଟଙ୍କାରେ ବିକ୍ରି କରି  ନିଜର ଆର୍ଥିକ ସ୍ଥିତି ସୁଦୃଢ କରିଛନ୍ତି ।