ରାୟଗଡା : ଆଖିରେ ଆଖିଏ ସ୍ବପ୍ନ । ପାଠ ପଢିବି ଆଉ ବଡ ମଣିଷ ହେବି । ହେଲେ ଆଖିକୁ ଠିକ ଭାବେ ଦେଖାଯାଉନଥିବାରୁ ପାଠପଢାରେ ସୃଷ୍ଟି ହେଉଛି ବ୍ୟାଘାତ । ଇଏ ହେଉଛନ୍ତି ରାୟଗଡା ସଦର ବ୍ଲକ ଡାଙ୍ଗଲୋଡି ଗାଁର ଡ୍ରିମ୍ବା କାଡ୍ରାକାଙ୍କ ୧୩ ବର୍ଷ ବୟସ୍କ ପୁଅ ବାବୁଲା କାଡ୍ରାକା । ବାବୁଲାର ଡାହାଣ ଆଖିକୁ ଜମା ଦେଖାଯାଉନଥିବା ବେଳେ ବାମ ଆଖିକୁ ମଧ୍ୟ ଠିକସେ ଦେଖାଯାଉନି । ଖାଲି ସେତିକି ନୁହଁ ସେ ଭଲସେ ଶୁଣିପାରୁନାହାନ୍ତି କି କଥା ବି କହିପାରୁନାହାନ୍ତି । ତାଙ୍କର ଭିନ୍ନକ୍ଷମ ପ୍ରମାଣ ପତ୍ର ଅଛି । ସରକାରୀ ସ୍ତରରେ ଆର୍ଥିକ ସହାୟତା ପାଇବାକୁ ସମ୍ପୂର୍ଣ୍ଣ ଯୋଗ୍ୟ ହୋଇଥିଲେ ସୁଦ୍ଧା ତାଙ୍କୁ କୌଣସି ସରକାରୀ ସହାୟତା ମିଳୁନି । ୩୫ ଶହ ଟଙ୍କା ବର୍ଦ୍ଧିତ ଭତ୍ତା ପାଇଁ ବାବୁଲାଙ୍କ ବାପା ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।
ବାବୁଲାଙ୍କ ପାଠପଢା ପ୍ରତି ଅହେତୁକ ଦୁର୍ବଳତା ରହିଥିଲେ ସୁଦ୍ଧା ଆଖିକୁ ଠିକ୍ ଭାବେ ଦେଖାଯାଉନଥିବାରୁ ସେ ପାଠପଢି ପାରୁନାହାନ୍ତି । ବାପା କୁଲି ମଜୁରୀ କରି ୪ ପ୍ରାଣୀ କୁଟୁମ୍ବଙ୍କୁ ଚଳାଉଥିବା ବେଳେ ପୁଅର ଚିକିତ୍ସା କରିବା ତାଙ୍କ ପକ୍ଷେ ମୁସ୍କିଲ ହୋଇପଡୁଛି । ଅନ୍ୟପଟେ ବାବୁଲାକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଡିଓ । କେବଳ ବାବୁଲା ନୁହଁନ୍ତି ରାୟଗଡା ଜିଲ୍ଲାର ଅନେକ ଭିନ୍ନକ୍ଷମ ସରକାରୀ ସହାୟତା ନପାଇ ଏବେ ବାରଦୁଆର ହେଉଥିବା ଅଭିଯୋଗ ହୋଇଛି ।

