ନନ୍ଦିଘୋଷ ବ୍ୟୁରୋ: ଆଉ ଦିନ କେଇଟା ପରେ ଭୋଟ। ପ୍ରାର୍ଥୀ ଘୋଷଣା ପରେ ବଢିବାରେ ଲାଗିଛି ରାଜନୈତିକ ପାରଦ। ଏବେ ସରଗରମ ରାୟଗଡା ବିଧାନସଭା  ନିର୍ବାଚନ ମଣ୍ଡଳୀ । ଏଠାରେ ଅଛନ୍ତି ୨ ଲକ୍ଷ ୫୦ହଜାର ୫୬୬ ଜଣ ଭୋଟର। ଏଠାରେ ତ୍ରିମୁଖୀ ଲଢେଇ ହେବା ସ୍ପଷ୍ଟ  । ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ଅନୁସୟା ମାଝୀ, ତାଙ୍କୁ ଟକ୍କର ଦେବାକୁ ବିଜେପି ପକ୍ଷରୁ ରଣାଙ୍ଗନାକୁ ଓହ୍ଲାଇଛନ୍ତି ବସନ୍ତ ଉଲ୍ଲାକ୍କା । ସେପଟେ ଏ ଦୁହିଁଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ପ୍ରାର୍ଥୀ ଆପଲ ସ୍ଵାମୀ କାଡ୍ରାକା । ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଚାଲିଛି ଜୋରଦାର କ୍ଯାମ୍ପେନିଂ। କିନ୍ତୁ ଭୋଟରଙ୍କ ମତ, ବିକାଶ ହିଁ ସାଜିବ ପ୍ରମୁଖ ପ୍ରସଙ୍ଗ।

ରାୟଗଡା ବିଧାନସଭା ନିର୍ବାଚନୀ ମଣ୍ଡଳୀ । କାଶୀପୁର ବ୍ଳକର ୨୪ଟି ପଞ୍ଚାୟତ ,ରାୟଗଡା ବ୍ଳକର ୨୮ଟି ପଞ୍ଚାୟତ ଓ ରାୟଗଡା ପୌର ପରିଷଦର ୨୪ ଗୋଟି ୱାର୍ଡକୁ ନେଇ ଗଠିତ ରାୟଗଡା ବିଧାନସଭା କ୍ଷେତ୍ର । ତେବେ କିଏ ହେବ ରାୟଗଡା ବିଧାୟକ  ? କାହା ସପକ୍ଷରେ ଯିବ ଜନମତ ? ତାକୁ ନେଇ ଚାଲିଛି ଅଙ୍କକଷା । ଏଠାରେ ଅଛନ୍ତି ୨ଲକ୍ଷ ୫୦ହଜାର ୫୬୬ ଜଣ ଭୋଟର । ସେଥି ମଧ୍ୟରୁ ପୁରୁଷ ଭୋଟର ହେଲେ ୧ ଲକ୍ଷ ୧୮ହଜାର ୩୨୩ ଜଣ ,ମହିଳା ଭୋଟର ହେଲେ ୧ଲକ୍ଷ ୩୨ହଜାର ୧୪୬ ଓ ଅନ୍ୟାନ ଭୋଟର ହେଲେ ମାତ୍ର ୯୭ ଜଣ ।

ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେଇ ହେବ । ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଅନୁସୟା ମାଝୀ । ବିଜେପି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ବସନ୍ତ ଉଲ୍ଲାକ୍କା । ସେପଟେ ଏହି ଦୁହିଁ ଦଳକୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ପ୍ରାର୍ଥୀ ଆପଲ ସ୍ଵାମୀ କାଡ୍ରାକା । ତେବେ ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର ।

ରାୟଗଡା ପଞ୍ଚାୟତ ସମିତି, କାଶୀପୁର ପଞ୍ଚାୟତ ସମିତି ସମେତ ରାୟଗଡା ପୌର ପରିଷଦ ଶାସକ ବିଜୁ ଜନତା ଦଳର କବଜାରେ ରହିଛି ।   କାଶୀପୁର ବ୍ଲକର ୩ଗୋଟି ଜିଲ୍ଲା ପରିଷଦ ଜୋନରୁ ୨ ଗୋଟି ଓ ରାୟଗଡା ବ୍ଳକର ୩ ଗୋଟି ଜିଲ୍ଲା ପରିଷଦ ଜୋନରୁ ଦୁଇଗୋଟି ବିଜେଡି ଓ ଉଭୟ ବ୍ଳକର ଗୋଟିଏ ଲେଖାଏଁ ଜିଲ୍ଲା ପରିଷଦ ଜୋନ କଂଗ୍ରେସର ଅଧୀନରେ ରହିଛି । ପୌର ନିର୍ବାଚନରେ ରାୟଗଡା ସହରର ୨୪ଟି ୱାର୍ଡରୁ ବିଜେଡି ୨୧, ବିଜେପି ୨ ଗୋଟି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି । କଂଗ୍ରେସର ଅଭେଦ୍ୟ ଦୁର୍ଗ ଭାବେ ପରିଚିତ ରାୟଗଡା ବିଧାନସଭା କ୍ଷେତ୍ରରେ ପ୍ରଥମଥର ପାଇଁ ଅଣକଂଗ୍ରେସ ବିଧାୟକ ଭାବେ ଲାଲ ବିହାରୀ ହିମିରିକା ବିଜୁ ଜନତା ଦଳରୁ ୨୦୦୦ ମସିହାରେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ  ୭ ଥର ବିଧାୟକ ଭାବେ ସ୍ବର୍ଗତ ରାମଚନ୍ଦ୍ର ଉଲାକା ନିର୍ବାଚିତ ହୋଇଥିଲେ। ତେବେ ଗତ ନିର୍ବାଚନରେ ବିଜେଡି ,ବିଜେପି କଂଗ୍ରେସ କାହାର ରଣକୌଶଳ କାମ ଦେଇନଥିଲା।

ଲାଲବିହାରୀ ହିମିରିକାଙ୍କୁ କଡା ଟକ୍କର ଦେଇ ସ୍ବାଧିନ ବିଧାୟକ ମକରନ୍ଦ ମୁଦୁଲି ୫ ହଜାର ଅଧିକ ଭୋଟରେ ବିଜୟୀ ହୋଇଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ବିଏସପି ୪ ହଜାର ୭୭, ବିଜେପି ୨୪ ହଜାର ୩୨୭ ,କଂଗ୍ରେସ ୩୯ ହଜାର ୬୫୭, ବିଜେଡି ୪୭ ହଜାର ୯୭୯ ଭୋଟ ପାଇଥିବା ବେଳେ ସ୍ବାଧିନ ଭାବେ ମକରନ୍ଦ ମୁଦୁଲି ୫୨ ହଜାର ୮୪୪ ଭୋଟ ପାଇ ୫ ହଜାର ଭୋଟ ପାଇ ବିଜୟୀ ହୋଇଥିଲେ । ଏଥିସହିତ ୫ ହଜାର ୬୫୬ ଖଣ୍ଡ ଭୋଟ ନାକଚ ହୋଇଥିଲା । ଗତ ନିର୍ବାଚନର ପରାଜୟ ପରେ  ବିଜୟ ଧାରାକୁ ଫେରିବାକୁ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ନେତୃତ୍ବରେ  ଗୋଟି ଚାଳନା ଚଳାଇଛି। ତିନି ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ତେବେ କିଏ ହେବ ବିଜେତା ? କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।