କେନ୍ଦ୍ର ବୈମାତୃକ ମନୋଭାବର ଆଉ ଏକ ଉଦାହରଣ: ପୂର୍ବତଟ ରେଳପଥରୁ ଅଲଗା ହେଲା ରାୟଗଡ଼ା ଡିଭିଜନ

1 min read

ଭୁବନେଶ୍ୱର: ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ପୁଣି କେନ୍ଦ୍ରର ବୈମାତୃକ ମନୋଭାବ । ପୂର୍ବତଟ ରେଳପଥରୁ ଅଲଗା ହେଲା ରାୟଗଡ଼ା ଡିଭିଜନ । କେନ୍ଦ୍ରର ଏପରି ଆଭିମୁଖ୍ୟକୁ କଂଗ୍ରେସ କଡ଼ା ସମାଲୋଚନା କରିବା ସହ ନିଷ୍ପତ୍ତି ପୁନର୍ବିଚାର ନକଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତବାନୀ ଦେଇଛି । ଶାସକ ବିଜେଡି ମଧ୍ୟ ନିଷ୍ପତ୍ତି ବଦଳାଇବା ପାଇଁ କେନ୍ଦ୍ର ପାଖରେ ରାଜ୍ୟ ଦାବି କରିବ ବୋଲି କହିଛି । ଏ ପ୍ରସଙ୍ଗରେ ବିଜେପିର ଯୁକ୍ତି କିନ୍ତୁ ଭିନ୍ନ । ଯାହାକୁ ନେଇ ତେଜିଛି ରାଜନୀତି ।

ପୁଣି ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ । ଆନ୍ଧ୍ର ପାଇଁ ଓଡ଼ିଶାରୁ ଅଲଗା ହେଲା ରାୟଗଡ଼ା ଡିଭିଜନ । କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଶାଣିତ ହେଲା ସ୍ୱର । ନିଷ୍ପତ୍ତିର ପୁନଃବିଚାର ପାଇଁ ଦାବି କଲେ କଂଗ୍ରେସ ଓ ବିଜେଡି । କେନ୍ଦ୍ର ପାଇଁ ଓକିଲାତି କଲା ବିଜେପି । ନେଉଛନ୍ତି ଅଧିକ, ଦେଉଛନ୍ତି କମ୍‌। ତା’ପରେ ବି ବାରମ୍ବାର ଅଣଦେଖା । ପ୍ରଥମେ ଘୋଷଣା, ତା’ପରେ ପ୍ରତ୍ୟାହାର । ବର୍ଷ ବର୍ଷ ଧରି ରେଳବାଇ କ୍ଷେତ୍ରରେ ଏପରି ଅବେହଳାର ଶିକାର ହେଉଛି ଓଡ଼ିଶା । ରେଳବାଇକୁ ସିଂହଭାଗ ରାଜସ୍ୱ ଦେଉଛି ଓଡ଼ିଶା । ହେଲେ କେନ୍ଦ୍ରରେ ୟୁପିଏ କି ଏନଡିଏ ସରକାର, ଯିଏ ଥିଲେ ମଧ୍ୟ ଓଡ଼ିଶା ନିଜ ହକ୍‌ ପାଉନାହିଁ । ୨୦୧୯ ଜୁଲାଇ ୧୭ ତାରିଖରେ ରାୟଗଡ଼ାରେ ନୂଆ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ରେଳ ମନ୍ତ୍ରାଳୟ ଘୋଷଣା କରିଥିଲା। ଏଥିପାଇଁ ୨୦୨୦-୨୧ ବଜେଟରେ ପୂର୍ବତଟ ରେଳବାଇ ୧୭୦ କୋଟି ଟଙ୍କାର ଡିପିଆର ଦାଖଲ କରିଥିଲା । ସବୁ ଘୋଷଣା ପରି ରାୟଗଡ଼ା ଡିଭିଜନକୁ ଏବେ ଅଲଗା କରି ଓଡ଼ିଶା ପ୍ରତି କେନ୍ଦ୍ର ପୁଣି ବୈମାତୃକ ମନୋଭାବ ଦେଖାଇଛି । ଯାହା ବିରୋଧରେ ଉଠିଛି ଦୃଢ଼ ସ୍ୱର।

କେବଳ ରାୟଗଡ଼ା ଡିଭିଜନ ନୁହେଁ, ଶୀତଳାପଲ୍ଲୀ ଓ୍ବାଗନ କାରଖାନା ଘୋଷଣା ପରେ ପ୍ରତ୍ୟାହାର, କଳାହାଣ୍ଡି ଓ୍ବାଗନ ମରାମତି କାରଖାନା ବିଶାଖପାଟଣା ସ୍ଥାନାନ୍ତର ଓ ସମ୍ବଲପୁର ମାନେଶ୍ୱର ଓ୍ୱାଗନ ମରାମତି କାରଖାନା ପ୍ରତ୍ୟାହାର ହୋଇଥିବା ବେଳେ ହରିଦାସପୁର-ପାରାଦୀପ ରେଳ ଲାଇନରେ ଏଯାଏ ଯାତ୍ରୀବାହୀ ଟ୍ରେନ ଚାଲିନାହିଁ । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଏତେ ସବୁ ଅବେହଳା ପରେ ମଧ୍ୟ ରାଜ୍ୟ ସ୍ବାର୍ଥ ଭୁଲି କେନ୍ଦ୍ର ପାଇଁ ରାଜ୍ୟ ବିଜେପି ଓକିଲାତି କରୁଛି । ରାଜ୍ୟର ୫ଟି ଜିଲ୍ଲାରେ ଏଯାଏ ରେଳ ସଂଯୋଗ ହୋଇନାହିଁ । ଏଥିଲାଗି କେନ୍ଦ୍ର ପାଖରେ ବାରମ୍ବାର ଦାବି ସତ୍ତ୍ୱେ ଫଳ ଶୂନ୍ ।

ଏଥିସହିତ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ କମିଶନଙ୍କ ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ

Leave a Reply