ରାୟଗଡା : ରାୟଗଡାରେ ସୁଧୁରୁନି ମଣ୍ଡି ସମସ୍ୟା । ଉଦଘାଟନକୁ ୨୦ ଦିନ ବିତିଲାଣି । ଆଜି ବି ଅନେକ ମଣ୍ଡିରୁ ଉଠୁନି ଧାନ । ଲାଗିରହିଛି ଅଚଳାବସ୍ଥା । ଶୀତକାକରରେ ଧାନ ଭିଜି ହେଲାଣି ଗଜା । ନିଘୋଡ ନିଦ୍ରାରେ ପ୍ରଶାସନ ।… ଜିଲ୍ଲାରେ ୬୪ ପ୍ରତିଶତ ମିଲର ଯୋଗାଣ ବିଭାଗ ସହ ଚୁକ୍ତି କରିନଥିବାରୁ ମଣ୍ଡିରୁ ଧାନ ଉଠିପାରୁନି । ପଦ୍ମପୁର ଅଞ୍ଚଳର ୯୦ ପ୍ରତିଶତ ଚାଷୀଙ୍କୁ ଏଯାଏଁ ଟୋକନ ବି ମିଳିନି । ଫଳରେ ରାସ୍ତାକଡରେ ଧାନ ଶୁଖାଇ ରଖିଛନ୍ତି ଚାଷୀ । ଆରଏମସି କାର୍ଯ୍ୟାଳୟ ପରିସରରେ ଗଦା ହୋଇଛି ଶହ ଶହ ବସ୍ତା ଧାନ । ହେଲେ ମିଲରଙ୍କ ଦେଖାମିଳୁନି । ଏକାଧିକ ଚାଷୀଙ୍କ ଧାନ ଶୀତ କାକରରେ ଭିଜି ନଷ୍ଟ ହୋଇଗଲାଣି ।
ଜିଲ୍ଲାରେ ୨୧ ହଜାର ୪୮୬ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସିଂହଭାଗ ଚାଷୀଙ୍କୁ ଏଯାଏଁ ଟୋକନ ମିଳିନି । ମିଲର ଓ ଯୋଗାଣ ବିଭାଗ ମଧ୍ୟରେ ଚୁକ୍ତି ହୋଇନଥିବାରୁ ଏପରି ସମସ୍ୟା ଦେଖାଦେଇଛି । ଅନ୍ୟପଟେ ଚାଷୀମାନଙ୍କୁ ପର୍ଯ୍ୟାୟ କ୍ରମେ ଟୋକନ ପ୍ରଦାନ କରାଯାଉଛି । ବଳକା ମିଲରଙ୍କ ସହ ଚୁକ୍ତି ଶେଷ ହେବା ପରେ ମଣ୍ଡି ସୁରୁଖୁରୁରେ ଚାଲିବ ବୋଲି କହିଛନ୍ତି ଯୋଗାଣ ଅଧିକାରୀ । ମଣ୍ଡିରୁ ଧାନ ଉଠୁନଥିବାରୁ ରାତି ଉଜାଗର ହୋଇ ଧାନ ଜଗି ରହୁଛନ୍ତି ଅନ୍ନଦାତା । ଯାହାକୁ ନେଇ ଚାଷୀ ମହଲରେ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି ।

