ଗୋପାଳନ ଦେଇଛି ରୋଜଗାର

ରାୟଗଡ଼ା: ସଶକ୍ତ ହେଉଛନ୍ତି ମହିଳା । ବିଭିନ୍ନ ବ୍ୟବସାୟ ମାଧ୍ୟମରେ ହୋଇପାରିଛନ୍ତି ସ୍ବାବଲମ୍ବୀ । ଅର୍ଥ ଠାରୁ ଆରମ୍ଭ କରି ବିଭିନ୍ନ ସହାୟତା ଯୋଗାଉଛନ୍ତି ରାଜ୍ୟ ସରକାର । ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀ ମହିଳା ଏବେ ଗୋ ପାଳନ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ତିନୋଟି ସ୍ବୟଂ ସହାୟିକା ଗୋଷ୍ଠି ମିଳିତ ଭାବେ ଏକ ଡାଇରୀ ଫାର୍ମ କରି ପରିବାର ପ୍ରତିପୋଷଣ କରୁଛନ୍ତି ।

ଏବେ ନାରୀ ଦୁର୍ବଳା ନୁହଁ ସବଳା । ରାଜ୍ୟସରକାରଙ୍କ ସହଯୋଗରେ ହୋଇପାରିଛନ୍ତି ସ୍ବାବଲମ୍ବୀ । ମିଶନ ଶକ୍ତି ସହାୟତା ଯୋଗୁ ଏବେ ରୋଜଗାରକ୍ଷମ ଏସଏଚଜି ମା। ଏହାର ଜ୍ବଳନ୍ତ ଉଦାହରଣ ସାଜିଛନ୍ତି ରାୟଗଡା ଖିଲଜିଙ୍ଗ ଗାଁର ତିନୋଟି ସ୍ବୟଂ ସହାୟିକା ଗୋଷ୍ଠୀ । ମିଳିତ ଭାବେ ଏମାନେ ଏକ ଡାଇରୀ ଫାର୍ମ କରି ଲାଭବାନ ହୋଇପାରିଛନ୍ତି । ଗୋଷ୍ଠୀର ମାଆ ମାନେ ପାଳି କରି  ଗୋସେବା ଓ ସଂଗୃହିତ କ୍ଷୀର ବଜାରରେ ବିକ୍ରି କରିବା ଦାୟିତ୍ବ ତୁଳାଉଛନ୍ତି । ଜଣକ ପିଛା ମାସିକ 3ହଜାରରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି ।

ମହିଳାଙ୍କ ଉତ୍ସାହକୁ ପ୍ରୋତ୍ସାହନ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହୟତା ଯୋଗାଇ ଦିଆଯାଇଛି । ମହିଳାଙ୍କୁ 10ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । ସେଥିରୁ ସାଢ଼େ 6ଲକ୍ଷ ଟଙ୍କା ଖର୍ଚ୍ଚ କରି ଡାଇରୀ ଫାର୍ମ ନିର୍ମାଣ ଓ ଗାଈ କ୍ରୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଯୋଗୁ ସମସ୍ତେ ଆଗକୁ ବଢିପାରିଥିବା କହିଛନ୍ତି ଏସଏଚଜି ମା।