ଆର୍ଦ୍ରତା ନାଁରେ କପା କିଣୁନାହିଁ ସିସିଆଇ, ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଆଦିବାସୀ ଚାଷୀ

ରାୟଗଡା : ଆର୍ଦ୍ରତା ନାଁରେ କପା କିଣୁନାହିଁ ସିସିଆର । କମ୍ ଦାମରେ କପା କିଣିନେଉଛନ୍ତି ଆନ୍ଧ୍ର ଓ ତେଲଙ୍ଗାନା ଦଲାଲ । ଶୋଷଣର ଶିକାର ହେଉଛନ୍ତି  । ରାୟଗଡ଼ାର କପା ଚାଷୀ ।  ଧାନ ଚାଷ ପରେ କପା ଚାଷକୁ ପ୍ରାଧାନ୍ୟ ଦେଇଆସୁଛନ୍ତି ରାୟଗଡ଼ା ଜିଲ୍ଲାର ଚାଷୀ । ଜିଲ୍ଲାରେ ୯୦ ପ୍ରତିଶତରୁ ଅଧିକ କପା ଉତ୍ପାଦନ ସରିଗଲାଣି । ତେବେ ଏବେ ମଣ୍ଡିରେ ସମସ୍ୟା ପାଇଁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ଆର୍ଦ୍ରତା ନାଁରେ ଚାଷୀଙ୍କ କପାକୁ ସିସିଆଇ କ୍ରୟ କରୁନାହିଁ । ବାଧ୍ୟ ହୋଇ ଆନ୍ଧ୍ର ବେପାରୀଙ୍କ କବଳରେ ପଡିଛନ୍ତି ନିରୀହ ଆଦିବାସୀ । ମଣ୍ଡି ବଦଳରେ ଆନ୍ଧ୍ର ବେପାରୀଙ୍କ କାର୍ଯ୍ୟଳୟ ଆଗରେ ଚାଷୀମାନେ ଧାଡ଼ି ବାନ୍ଦି ଠିଆ ହୋଇଛନ୍ତି । ସରକାର କପା କ୍ବିଣ୍ଟାଲ ପ୍ରତି ୭ ହଜାର ୫୨୧ ଟଙ୍କା ଧାର୍ଯ୍ୟ କରିଛନ୍ତି । ସିସିଆଇ କପା କିଣୁନଥିବା ବେଳେ ଆନ୍ଧ୍ର ଓ ତେଲେଙ୍ଗାନାର ବେପାରୀଙ୍କୁ କ୍ଵିଣ୍ଟାଲ ପିଛା ୬ ହଜାର ୭ଶହ ଟଙ୍କାରେ ବିକ୍ରି କରିଦେଉଛନ୍ତି । ଗାଡି ଭଡ଼ା କରି ମଣ୍ଡିକୁ ନେବା ସମ୍ଭବ ଏଣୁ ବାଧ୍ୟ ହୋଇ ଦଲାଲଙ୍କୁ ବିକ୍ରି କରୁଥିବା କହିଛନ୍ତି କପା ଚାଷୀ।

ପ୍ରତିବର୍ଷ ହେକ୍ଟର ହେକ୍ଟର ଜମିରେ ଧଳା ସୁନା ଚାଷ କରୁଛନ୍ତି ରାୟଗଡ଼ା ଅଞ୍ଚଳର ଆଦିବାସୀ ଚାଷୀ । ଚାଷ କାର୍ଯ୍ୟ ବେଳେ ବାହାର ରାଜ୍ୟର ବ୍ୟବସାୟୀମାନେ ଚାଷୀଙ୍କୁ କୀଟନାଶକ ଔଷଧ ଓ ସାର ଯୋଗାଇ ଦେଇଥାନ୍ତି । ଅମଳ ପରେ ସେହି ବେପାରୀମାନେ ଚାଷୀଙ୍କ ଠାରୁ କପା ଉଠାଇନେଉଛନ୍ତି । ମହାରାଷ୍ଟ୍ର,ଆନ୍ଧ୍ର ଓ ତେଲେଙ୍ଗାନାରୁ ଆସି କପା ମିଲ୍ କରିଥିବା ବ୍ୟବସାୟୀମାନେ ଦଲାଲ ଲଗାଇ କପା ଲୁଟ୍ କରୁଛନ୍ତି । ୬୦ ପ୍ରତିଶତ କପା ମଣ୍ଡିକୁ ଆସିବା ପରିବର୍ତ୍ତେ ସିଧାସଳକ ମିଲକୁ ଚାଲିଯାଉଛି । ଚଳିତ ବର୍ଷ ରାୟଗଡା ଜିଲ୍ଲାର ୪୯ ହଜାର ୮୧୦ ହେକ୍ଟର ଜମିରେ କପା ଚାଷ ହୋଇଛି । କପା କ୍ରୟ କରିବା ପାଇଁ ମାତ୍ର ୨ ଟି ମଣ୍ଡି ରହିଥିବାରୁ ଚାଷୀଙ୍କୁ କପା ବିକ୍ରି କରିବାକୁ ସମସ୍ୟା ହେଉଛି । କପାର ଅଭାବୀ ବିକ୍ରି ସମ୍ପର୍କରେ ସିସିଆଇ ମୁହଁ ଖୋଲୁନଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଣ କହୁଛନ୍ତି ଶୁଣନ୍ତୁ । ରାୟଗଡ଼ା ଜିଲ୍ଲାରେ ବହୁଳ ଭାବେ କପା ଚାଷ ହେଉଛି । ସରକାରୀ ସ୍ତରରେ ଏହି ଆଦିବାସୀ ଚାଷୀଙ୍କୁ କୃଷି ଋଣ ଯୋଗାଇ ଦେବା ବ୍ୟବସ୍ଥାରେ ସରଳୀକରଣ କରିବା ସହିତ ମଣ୍ଡିରେ କପା କିଣିବାକୁ ଚାଷୀଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦେବା ଜରୁରୀ ।