ଲୋକଙ୍କ ମନରୁ ହଟୁନି ଅନ୍ଧବିଶ୍ଵାସ, ଗୁଣିଗାରେଡିରୁ ଗଡୁଛି ମୁଣ୍ଡ

1 min read

ନନ୍ଦିଘୋଷ ବ୍ୟୁରୋ: ରାୟଗଡା ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଗୁଣିଗାରେଡି ସନ୍ଦେହରେ ମୃତ୍ଯୁ ସଂଖ୍ଯା । କେଉଁଠି ଗୁଣିଆର ଆଖ୍ୟା ଦେଇ ନିରୀହ ଲୋକଙ୍କୁ ହତ୍ୟା କରାଯାଉଛି, ତ ଆଉ କେଉଁଠି ଗାଁରୁ ନିଆଁପାଣି ବାସନ୍ଦ କରାଯାଉଛି । ଗତ ସାତ ବର୍ଷ ମଧ୍ଯରେ ଜିଲ୍ଲାରେ ୫୪ଟି ଗୁଣିଗାରେଡି ଜନିତ ଆକ୍ରମଣ ଓ ହତ୍ଯା ଘଟଣା ଦେଖିବାକୁ ମିଳିଛି । ଯାହା ପୋଲିସ ଓ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଲୋକଙ୍କ ମନରୁ ହଟୁନି ଅନ୍ଧବିଶ୍ଵାସ । ଗୁଣିଗାରେଡିରୁ ଗଡୁଛି ମୁଣ୍ଡ । କରାଯାଉଛି ନିଆଁପାଣି ବାସନ୍ଦ । ଅନ୍ଧବିଶ୍ଵାସର ଅନ୍ଧାରୀ ମୁଲକରେ ପେଷି ହେଉଛନ୍ତି ନିରୀହ ଲୋକ । ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଗୁଣିଗାରେଡି ଜନିତ ମୃତ୍ଯୁସଂଖ୍ଯା । ଗତ ଜାନୁଆରୀ ୧୯ ତାରିଖରେ ରାୟଗଡା ସଦର ମହକୁମାରେ ଗୁଣିଗାରେଡି ଘଟଣାରୁ ମାଙ୍କଡଝୋଲା ଗାଁର ଜଣେ ୭୫ ବର୍ଷୀୟ ବୃଦ୍ଧା ଖଲିମଣି ଜାନୀଙ୍କୁ ହତ୍ୟା କରାଯାଇଥିଲା । ଏପ୍ରିଲ ୨୧ରେ ପଦ୍ମପୁର ବ୍ଲକର ହାଟପଦା ସାହିରେ ୫୦ ବର୍ଷୀୟ ଗୌରହାରୀ ସାହୁଙ୍କୁ ଗୁଣିଆ ସନ୍ଦେହରେ ହତ୍ଯା କରାଯାଇଛି । ଘଟଣାରେ ପଦ୍ମପୁର ପୋଲିସ ୬ ଜଣ ନାବାଳକ ସମେତ ୩୪ ଜଣକୁ ଗିରଫ କରିଛି l ହେଲେ ଗୁଣିଗାରେଡି ଜନିତ ଘଟଣା ଜିଲ୍ଲାରେ ବନ୍ଦ ହେବାର ନାଁ ନେଉନି।

ଆଦିବାସୀ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ଅଭିନବ ପ୍ରୟାସ କରୁଛି । ନୃତ୍ୟ ଓ ପଥପ୍ରାନ୍ତ ନାଟ୍ୟ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଛି । ତଥାପି କୁସଂସ୍କାର ବନ୍ଦ ହୋଇପାରୁନି । ଗତ ସାତ ବର୍ଷ ମଧ୍ୟରେ ଅର୍ଥାତ ୨୦୧୮ ମସିହା ଠାରୁ ୨୦୨୫ ମସିହା ମଧ୍ଯରେ ରାୟଗଡା ଜିଲ୍ଲାରେ ୫୪ଟି ଗୁଣିଗାରେଡି ଜନିତ ଆକ୍ରମଣ ଓ ହତ୍ଯା ଘଟଣା ଘଟିଛି । ସେଥିମଧ୍ଯରୁ କାଶୀପୁର ବ୍ଲକରେ ସର୍ବାଧିକ ୨୪ଟି ଘଟଣା ଘଟିଛି । ରାୟଗଡା ବ୍ଲକରେ ୧୩ଟି, କଲ୍ୟାଣସିଂହପୁର ବ୍ଲକରେ ୯ଟି, ଗୁଣପୁର ବ୍ଲକରେ ୪ଟି, ବିଷମକଟକରେ ଗୋଟିଏ ଓ ପଦ୍ମପୁର ବ୍ଲକରେ ୨ଟି ଘଟଣା ଘଟିଛି । ଘଟଣାରେ ୭ ଜଣ ମୃତ୍ୟୁବରଣ କରିଥିବା ବେଳେ ୮୮ ଜଣ ଗିରଫ ହୋଇଛନ୍ତି । ସେଥିରେ ୭ ଜଣ ନାବାଳକ ସାମିଲ ଅଛନ୍ତି । ସେହିପରି ଅନେକ ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ବେଳେ କିଛି ଅଭିଯୁକ୍ତ ମୁକୁଳି ଗଲେଣି । ଯାହାକୁ ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟପଟେ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ରାୟଗଡା ଏସପି କହିଛନ୍ତି ।