ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍: ପ୍ରଥମ ବୋଲର ଭାବରେ ୧୦୦ ଓ୍ୱିକେଟ ହାସଲ କଲେ ଅଶ୍ୱିନ

ବେଙ୍ଗାଲୁରୁ: ଭାରତୀୟ ଦଳର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଭାରତୀୟ ମାଟିରେ ଶାନଦାର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆକୁ ବିଜୟଲାଭ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଅଶ୍ୱିନ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧୨ ଓ୍ୱିକେଟ ହାସଲ କରି କିଚି ରେକର୍ଡ ନିଜ ନାମରେ କରିଛନ୍ତି । ଅଶ୍ୱିନ ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ୬ଟି ଓ ବେଙ୍ଗାଲୁରୁରେ ଖେଳାଯାଇଥିବା ଡେ’ ନାଇଟ ଟେଷ୍ଟରେ ୬ଟି ଓ୍ୱିକେଟ ଅକ୍ତିବର କରିଥିଲେ । ଯାହା ଫଳରେ ଭାରତ ଏହି ଦୁଇଟି ମ୍ୟାଚକୁ ବଡ଼ ବ୍ୟବଧାନରେ ବିଜୟଲାଭ କରିଛି ।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ୱିନ ୧୨ ଓ୍ୱିକେଟ ହାସଲ କରି ବିଶ୍ୱ କ୍ରିକେଟର ୪ ଜଣ ବୋଲରଙ୍କୁ ପଛରେ ପକାଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ବୋଲିଂ ଫଳରେ ଅଶ୍ୱିନ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଶତକ ହାଲସଲ କରିଛନ୍ତି । ପ୍ରଥମ ବୋଲର ଭାବରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ୧୦୦ ଓ୍ୱିକେଟ ହାସଲ କରିଛନ୍ତି । ଅଶ୍ୱିନ ୨୧ ଟେଷ୍ଟ ମ୍ୟାଚ ଖେଳି ଏହି ରେକର୍ଡ ନିଜ ନାମରେ କରିଛନ୍ତି । ଏହି ଲିଷ୍ଟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆ ଦଳର ଅଧିନାୟକ ପ୍ୟାଟ କମିନ୍ସ । କମିନ୍ସ ୨୦ଟି ଟେଷ୍ଟ ମ୍ୟାଚ ଖେଳି ୯୩ ଓ୍ୱିକେଟ ହାସଲ କରିଛନ୍ତି ।

ଅଶ୍ୱିନ ଏହି ଟୁର୍ଣ୍ଣାମେଣ୍ଟରେ ୪ ଥର ଗୋଟିଏ ଇନିଂସରେ ୫ ଓ୍ୱିକେଟ ନେବାରେ ସଫଳ ହୋଇଛନ୍ତି । କମିନ୍ସଙ୍କ ପାଖରେ ବି ପାକିସ୍ତାନ ବିପକ୍ଷ ସିରିଜରେ ୧୦୦ ଓ୍ୱିକେଟ ହାସଲ କରିବାର ସୁଯୋଗ ରହିଛି । ତେବେ ଏହି ଲିଷ୍ଟରେ ତୃତୀୟ ସ୍ଥାନରେ ଅଛନ୍ତି ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ । ବ୍ରଡ ଏହି ଟୁର୍ଣ୍ଣାମେଣ୍ଟରେ ୮୩ ଓ୍ୱିକେଟ ହାସଲ କରିଛନ୍ତି । ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ୮୦ ଓ୍ୱିକେଟ ହାସଲ କରି ଏହି ଲିଷ୍ଟରେ ଚତୁର୍ଥ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଦି । ସେହପରି ୧୯ ଟେଷ୍ଟରେ ୭୪ ଓ୍ୱିକେଟ ଅକ୍ତିଆର କରି ଏହି ଲିଷ୍ଟର ପଞ୍ଚମ ସ୍ଥାନରେ ଜଶପ୍ରୀତ ବୁମ୍ରା ରହିଥିବାବେଳେ ସପ୍ତମ ସ୍ଥାନରେ ରହିଛନ୍ତି ମହମ୍ମଦ ସାମି । ସାମି ୧୯ଟି ଟେଷ୍ଟ ମ୍ୟାଚ ଖେଳି ୭୦ ଓ୍ୱିକେଟ ଅକ୍ତିଆର କରିଛନ୍ତି ।