ରାଉରକେଲା ରାସ୍ତାକୁ ଏତେ ଲୋକ ଆସିଲେ କେମିତି ? ଏସପିଙ୍କ ବଦଳି ଚାହୁଁଛି ଓକିଲ ସଂଘ
1 min read
ରାଉରକେଲା: ରାଉରକେଲା ସହରରେ ଗଲା ୮ତାରିଖ ସଂଧ୍ୟାରେ ଶବ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହେବା ଘଟଣାକୁ ନେଇ ବିବାଦ ବଢିବାରେ ଲାଗିଛି । କରୋନାକୁ ନେଇ ଦେଶବ୍ୟାପି ଲକଡାଉନ୍ ଲାଗୁ ହୋଇଛି । ପାଖାପାଖି ୨ ମାସ ଧରି ଦେଶରେ ସବୁକିଛି ବନ୍ଦ ରହିଛି । କୋଭିଡ୍-୧୯ ଗାଇଡଲାଇନ୍ ଅନୁସାରେ ଜନସମାଗମ ପ୍ରତିବନ୍ଧିତ କିନ୍ତୁ ରାଉରକେଲାର ଜୁନ୍ ୮ ତାରିଖ ଦିନ ଯାହା ଘଟିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଜୁନ୍ ୮ ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି କବିତା ଜଲାନ କହିଛନ୍ତି ଯେ, ମାମଲା ରୁଜୁ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଶୋଭାଯାତ୍ରା ଆୟୋଜକଙ୍କୁ ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରଶାସନର ବିନା ଅନୁମତିରେ କାହିଁକି ଶୋଭାଯାତ୍ରା ଆୟୋଜନ କରାଗଲା ସେନେଇ ନୋଟିସ୍ କରାଯିବା ସହ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ଘଟଣା କ’ଣ ଥିଲା ?
ଜୁନ୍ ୭ ତାରିଖ ଦିନ ପ୍ଳ।ଣ୍ଟ ସାଇଟ୍ ଥାନା ରେଲେୱେ କଲୋନୀର ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ । ହତ୍ୟାକାଣ୍ଡରେ ୧୫ରୁ ଅଧିକ ଦୁର୍ବୃତ୍ତ ସାମିଲ୍ ଥିବା ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏହାର ଦିନକ ପରେ ଅର୍ଥାତ୍ ୮ତାରିଖ ସଂଧ୍ୟାରେ ହଜାର ହଜାର ଲୋକ ମୃତ ବ୍ୟକ୍ତିଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ।
କ’ଣ ପୋଲିସ ପାଖରେ ଖବର ନଥିଲା ?
ତେବେ ପ୍ରଶ୍ନ ଉଠୁଛି ୫ହଜାର ଲୋକ ଶୋଭାଯାତ୍ରା କଲେ, ତଥାପି କେମିତି ଜାଣିପାରିଲାନି ପୋଲିସ ? ପ୍ଲାଣ୍ଟ ସାଇଟ୍ ଥାନା ନିକଟ ରାସ୍ତା ଦେଇ ହଜାର ହଜାର ଲୋକ ନିୟମ ଭାଙ୍ଗି ଶୋଭାଯାତ୍ରା କଲେ, କେମିତି ଜାଣିପାରିଲେନି ଥାନା ଆଇଆଇସି ? ନା ସବୁ ଜାଣି ନିରବ ରହିଲେ ? ଘଟଣାର ୩ ଦିନ ପରେ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି କହୁଛନ୍ତି, ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲେ ଆଜି ଯାଏଁ କାହିଁକି ଚୁପ୍ ଥିଲା ପୋଲିସ ପ୍ରଶାସନ ? ଲକ୍ଡାଉନ୍ରେ ସମଗ୍ର ଅଞ୍ଚଳରେ ଅରାଜକତା ପ୍ରଶ୍ନ ଉଠୁଛି, ଭୟ କରୁଛି କି ପୋଲିସ ? କିଛି ଦିନ ପୂର୍ବରୁ ରାଉରକେଲା ସହରରେ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା।
ଏସପିଙ୍କ ବଦଳି ଦାବି କଲା ଓକିଲ ସଂଘ
ଏପରିକି ଜେଲ୍ରେ ଗିରଫ ବ୍ୟକ୍ତି କରୋନାରେ ସଂକ୍ରିମତ ହୋଇଥିଲେ। ତେବେ ପ୍ରଶ୍ନ ଉଠୁଛି, ରାଉରକେଲା ସହରର ଏହି ଅଞ୍ଚଳ ସ୍ବୟଂଶାସିତ ଅଞ୍ଚଳ ହୋଇଛି କି ? କାହିଁକି ସେଠାରେ ଆଇନ୍, ନିୟମ ସବୁ ଫେଲ୍ ମାରିଛି ? ଏଣେ ରାଉରକେଲା ସହରରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିଥିବା ଓ ପୋଲିସ ନିଷ୍କ୍ରିୟ ରହିଥିବା ରାଉରକେଲା ଓକିଲ ସଂଘ ଅଭିଯୋଗ କରିଛି। ରାଉରକେଲା ଏସ୍ପିଙ୍କ ବଦଳି କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି ।