୮ ତାରିଖରେ ଖୋଲିବ ନାହିଁ ରତ୍ନଭଣ୍ଡାର

ଭୁବନେଶ୍ୱର :ଆସନ୍ତା ୮ ତାରିଖରେ ଖୋଲିବନି ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏବେ ରତ୍ନଭଣ୍ଡାର ଖୋଲିବନି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ରାଜ୍ଯ ସରକାର । ଛତିଶା ନିଯୋଗ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନି । ବିଶୃଙ୍ଖଳିତ ଭାବରେ ଜଣେ ଏଏସଆଇ ଅଧିକାରୀ ଏପରି ମନ୍ତବ୍ଯ ଦେଇଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସଂପୃକ୍ତ ଏଏସଆଇ ଅଧିକାରୀଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ରତ୍ନଭଣ୍ଡାର ଖୋଲିବା ଉପରେ ସରକାର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଛନ୍ତି । ସରକାର ହିଁ ଏ ବାବଦରେ ନିଷ୍ପତ୍ତି ନେବେ ବୋଲି ପୃଥ୍ବୀରାଜ କହିଛନ୍ତି ।

ମଧ୍ଯାହ୍ନରେ ପରିଚାଳନା କମିଟି ବୈଠକ ପରେ ଗଣମାଧ୍ଯମକୁ ରତ୍ନଭଣ୍ଡାର ଖୋଲିବା ନେଇ ସୂଚନା ଦେଇଥିଲେ ଏଏସଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ । ଏଏସଆଇ ଅଧୀକ୍ଷକ କହିଥିଲେ ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରତିଶୃତି ମିଳିଛି । ଏହାଛଡ଼ା ରତ୍ନଭଣ୍ଡାର ଖୋଲିବା ପରେ ମରାମତି ପ୍ରସଙ୍ଗରେ ବି କହିଥିଲେ ଏଏସଆଇ ଅଧୀକ୍ଷକ । ହେଲେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଏନେଇ କୌଣସି ସ୍ପଷ୍ଟୋକ୍ତି ଦେଇନଥିଲେ । ରତ୍ନଭଣ୍ଡାର କମିଟିର ସୁପାରିସ ଆଧାରରେ ହିଁ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ଯ ସରକାର ନିଷ୍ପତ୍ତି ନେବେ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ଯପ୍ରଶାସକ ଭିଭି ଯାଦବ । ଏବେ ଖୋଦ୍ ଆଇନ ମନ୍ତ୍ରୀ ସଂପୃକ୍ତ ଏଏସଆଇଙ୍କ ମନ୍ତବ୍ଯକୁ ଖଣ୍ଡନ କରିବା ସହ ଏବେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ହୋଇନି ବୋଲି ସ୍ପଷ୍ଟ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି, କାହିଁକି ଏଭଳି ଖାମଖିଆଲି ମନ୍ତବ୍ଯ ଦେଲେ ଏଏସଆଇ ଅଧିକାରୀ ? କାହା ନିର୍ଦ୍ଦେଶରେ ଏଏସଆଇ ଅଧିକାରୀ ଦେଇଥିଲେ ମନ୍ତବ୍ଯ ? ସରକାର ନିଷ୍ପତ୍ତି ନେଇନଥିବାବେଳେ ଏଏସଆଇ ଅଧିକାରୀ କାହିଁକି ଦେଲେ ଏଭଳି ମନ୍ତବ୍ଯ ?