ଆସନ୍ତାକାଲିଠାରୁ ୩ ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ

1 min read

ପୁରୀ : ଆସନ୍ତାକାଲି ଠାରୁ ୩ ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ କରିବ ASIର ସ୍ୱତନ୍ତ୍ର ବୈଷୟିକ ଟିମ । ଉନ୍ନତ ଜ୍ଞାନ କୌଶଳ ଓ ଯନ୍ତ୍ରପାତି ବ୍ୟବହାର କରାଯାଇ ରାଡ଼ାର ସର୍ଭେ କରାଯିବାକୁ ଥିବା ବେଳେ ଦିନ ଗୋଟାଏରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ହୋଇଛି । ଆଗାମୀ ୨୪ ତାରିଖ ଠାରୁ ଶ୍ରୀମନ୍ଦିରରେ ଷୋଳ ପୂଜା ଆରମ୍ଭ ହେଉଥିବା ହେତୁ ସର୍ଭେ କାର୍ଯ୍ୟ ଶୀଘ୍ର ଶେଷକରି ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ASIକୁ କୁହାଯାଇଛି ।

ଶ୍ରୀମନ୍ଦିରର ରତ୍ନଭଣ୍ଡାରର ହେବ ରାଡ଼ାର ସର୍ଭେ । ପୁଣି ଯାଞ୍ଚ କରିବ ଏଏସଆଇର ସ୍ବତନ୍ତ୍ର ବୈଷୟିକ ଟିମ୍ । ଦିନ ଗୋଟାଏରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଗତ ୧୮ ତାରିଖରେ ASIର ସ୍ୱତନ୍ତ୍ର ବୈଷୟିକ ଟିମ ଦ୍ୱାରା ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ ହୋଇଥିଲା । ଲେଜର ସ୍କାନିଂ କରାଯାଇଥିବାବେଳେ ରାଡ଼ାର  ସର୍ଭେ ନେଇ ବୈଷୟିକ ଟିମ ମତ ରଖିଥିଲା । ASIର ଅତିରିକ୍ତ ଡିଜି ଜାହ୍ନଭି ଶର୍ମାଙ୍କ ନେତୃତ୍ୱରେ  କରାଯାଇଥିବା ଯାଞ୍ଚ ଅସମ୍ପୂର୍ଣ୍ଣ ରହିଥିଲା । ଶ୍ରୀମନ୍ଦିରରେ ଷୋଳ ପୂଜାକୁ ନଜରରେ ରଖି ଯାଞ୍ଚ କାର୍ଯ୍ୟ ଆଗାମୀ ୨୪ ତାରିଖ ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା । ଏହାକୁ ଗୁରୁତ୍ବ ଦେଇ ଆଗାମୀ ୩ ଦିନ ଧରି ଯାଞ୍ଚ କରିବାକୁ ଧାର୍ଯ୍ୟ କରାଯାଇଛି । ସମ୍ପୂର୍ଣ୍ଣ ରାଡ଼ାର ସର୍ଭେ ପରେ ଭଣ୍ଡାର ଗୃହର ସଂରକ୍ଷଣ, ମରାମତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବ ଟିମ୍ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିର୍ଘଣ୍ଟ କରାଯାଇଛି । ଦିନ ଗୋଟାଏ ପରଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ ।

ଭଣ୍ଡାର ଘରେ ଗୁପ୍ତ ସୁଡ଼ଙ୍ଗ ପ୍ରସଙ୍ଗରେ ଯାଞ୍ଚ ପରେ ସ୍ପଷ୍ଟ ହୋଇ ପାରିବ । ଅନ୍ୟପକ୍ଷରେ ରିପୋର୍ଟ ମିଳିବ ପରେ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଅନୁସାରେ ଶୀଘ୍ର ମରାମତି ସହ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ । ଭଣ୍ଡାର ଘର ମରାମତି ପରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ରହିବ ବୋଲି ସେବାୟତ ଆଶା ରଖିଛନ୍ତି। ଶ୍ରୀମନ୍ଦିର ବିଧି ବ୍ୟବସ୍ଥା ଓ ନୀତିକାନ୍ତିରେ ଯେପରି ସମସ୍ୟା ନହୁଏ ସେ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ସେବାୟତ ।