ସରିଲା ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ

ପୁରୀ: ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଆଜି ହୋଇଛି ପ୍ରାରମ୍ଭିକ ଯାଞ୍ଚ । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସଆଇ ନେତୃତ୍ୱରେ କରାଯାଇଛି ଯାଞ୍ଚ । ରତ୍ନଭଣ୍ଡାର ଭିତରେ ଆଉ ସୁଡଙ୍ଗ ଅଛି କି ନାହିଁ ? ଆଉ କିଛି ରତ୍ନ ଅଳଙ୍କାର ଭଣ୍ଡାରରେ ରହିଛି କି ? ଏସବୁକୁ ନେଇ ଚତୁର୍ଥ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ପ୍ରାରମ୍ଭିକ ନୀରିକ୍ଷଣ ଓ ବୈଷୟିକ ଯାଞ୍ଚ ଆରମ୍ଭ କରିଛି ଏଏସଆଇ ।

ଯାଞ୍ଚ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ତଦାରଖ କମିଟି ଅଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ଠିକ୍ ଅପରାହ୍ନ ଗୋଟାଏରେ ଏଏସଆଇର ଅତରିକ୍ତ ମହାନିର୍ଦ୍ଦେଶକ ଜାନଭିଜ୍ ଶର୍ମାଙ୍କ ନେତୃତ୍ୱରେ ୧୨ ଜଣିଆ କମିଟି ଓ ଶ୍ରୀମନ୍ଦିର ପ୍ରଶାସନର ୧୪ ଜଣଙ୍କୁ ମିଶାଇ ମୋଟ ୨୬ ଜଣିଆ ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ପରେ ବାହାର ଓ ଭିତର ରତ୍ନଭଣ୍ଡାରର ଚାବି ଖୋଲାଯାଇ ଆରମ୍ଭ ହୋଇଥିଲା ବୈଷୟିକ ଯାଞ୍ଚ । ତା’ ପୂର୍ବରୁ ଓଡ୍ରାଫ, ଅଗ୍ନି ନିର୍ବାନକ ଯନ୍ତ୍ର ଓ ସ୍ନେକ୍ ହେଲପ୍ ଲାଇନର ସଦସ୍ୟ ଭିତରକୁ ଯାଇଥିଲେ । ଆଜି ଜିପିଆର ସର୍ଭେ ହୋଇନାହିଁ । ଭିତର ରତ୍ନଭଣ୍ଡାରର ଭରଟିକାଲ୍ ଓ ହରାଇଜୋଣ୍ଟାଲ ଯାଞ୍ଚ ପରେ କେଉଁ ଧରଣର ଓ କେତେ ଓଜନ ବିଶିଷ୍ଟ ମେସିନ୍ ବ୍ୟବହାର କରାଯିବ ତାହା ନିଷ୍ପତ୍ତି ନିଆଯିବ ।

ଆଜି ଯାଞ୍ଚର ଡକୁମେଣ୍ଟଟେସନ ହୋଇଛି । ଏନଜିଆରଆଇ ଟିମ୍ ଶୀଘ୍ର ଜିପିଆର ସର୍ଭେ କରିବେ । ସମସ୍ତ ଯାଞ୍ଚର ଭିଡିଓଗ୍ରାଫି ହୋଇଥିବା କହିଛନ୍ତି ତଦାରଖ କମିଟି ଅଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଜିପିଆରଏସ ସର୍ଭେ ମେସିନ୍ ଖୁବଶୀଘ୍ର ଆସିବ । ୨୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ କରିବା ପାଇଁ ଅନୁରୋଧ କରିଛନ୍ତି ଜଷ୍ଟିସ ବିଶ୍ବାନାଥ । କେବଳ ଯାଞ୍ଚ ନୁହେଁ ଭିତର ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ଷ୍ଟ୍ରକଚରାଲ୍ ଯାଞ୍ଚ ଆରମ୍ଭ ହୋଇଛି । ଭିତର ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ପିନାକ ମିଶ୍ର ମଧ୍ୟ ଯାଞ୍ଚ ବେଳେ ଉପସ୍ଥିତ ରହିଥିଲେ । ମହାପ୍ରଭୁଙ୍କ ସେବାପୂଜା, ରୀତିନୀତି ଓ ଧର୍ମୀୟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ଯାଞ୍ଚ କରାଯାଇଛି ।