ହେତୁବାଦୀ-ପରମ୍ପରାବାଦୀ ସଂଘର୍ଷ ଘଟଣାରେ ୮ ଗିରଫ

ଭୁବନେଶ୍ବର: ଚନ୍ଦ୍ରଗ୍ରହଣରେ ଖାଇବାକୁ ନେଇ ହେତୁବାଦୀ ଓ ପରମ୍ପରାବାଦୀଙ୍କ ସଂଘର୍ଷରେ ପୋଲିସ ଆକ୍ସନ ମୁଡ଼ରେ । ଆକ୍ରମଣ, ପ୍ରତିଆକ୍ରମଣ ଘଟଣାରେ ୮ ଜଣଙ୍କୁ ଗିରଫ କଲା ପୋଲିସ୍ । ଗତକାଲି ଚନ୍ଦ୍ରଗ୍ରହଣ ସମୟରେ ଲୋହିଆ ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ସଭା ଚାଲିଥିବା ବେଳେ ହୋଇଥିଲା ଗଣ୍ଡଗୋଳ ।

ପୋଲିସ ଉପସ୍ଥିତିରେ ଉଭୟ ପକ୍ଷ ମାଡ଼ ମରାମରି ହୋଇଥିଲେ । ଏହାସହ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୋଗ ଆଧାରରେ ଖାରବେଳ ଥାନା ପୋଲିସ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେପଟେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ହେତୁବାଦୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଅନ୍ୟ ଗୋଷ୍ଠୀ ।

ସୂଚନାଯୋଗ୍ୟ, ଗତକାଲି ଚନ୍ଦ୍ରଗ୍ରହଣ ସମୟରେ ହେତୁବାଦୀଙ୍କ ପକ୍ଷରୁ ସଭାର ଆୟୋଜନ କରାଯାଇଥିଲା । ଏହାକୁ ପରମ୍ପରାବାଦୀମାନେ ବିରୋଧ କରିଥିଲେ । ଏକାଧିକ ସଂଗଠନର କର୍ମକର୍ତ୍ତା ଶୋଭାଯାତ୍ରା କରି ଲୋହିଆ ଏକାଡେମୀ ପାଖରେ ପହଞ୍ଚି ଥିଲେ । ପରେ ସେଠାରେ ଉଭୟ ପକ୍ଷ ମଧ୍ୟରେ ବସଚସା ହୋଇଥିଲା । ପରେ ଏହା ହାତାହାତି ଓ ସଂଘର୍ଷର ରୂପ ନେଇଥିଲେ । ପଥରଠାରୁ ଆରମ୍ଭ କରି ଗୋବର ମାଡ଼ ପର୍ଯ୍ୟନ୍ତ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସକୁ ମୃଦୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା ।