spot_img

Latest Posts

ଯୋଗାଣ ବିଭାଗର ଅଜବ ନିୟମ, ଚାକିରି କରି ରାସନକାର୍ଡ ହାତେଇଥିଲେ ବି ହେବନି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ପାଇଁ ଡବଲ ଇଂଜିନ ସରକାରଙ୍କ ବଡ଼ ପୁରସ୍କାର। ସରକାରୀ ବାବୁଙ୍କ ବେଆଇନ କାମକୁ ମାଫ୍। ଯେଉଁ ସରକାରୀ କର୍ମଚାରୀ ରାସନ କାର୍ଡ ହାତେଇଥିଲେ, ତାଙ୍କ ବିରୋଧରେ ହେବନି କାର୍ଯ୍ୟାନୁଷ୍ଠାନ। ଏପରି ବିବାଦୀୟ ଘୋଷଣା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଏହି ଘୋଷଣା ପରେ ବର୍ଷ ବର୍ଷ ଧରି ସରକାରୀ ଦରମା ସହ ଚାଉଳ ହାତେଇଥିବା ଅସାଧୁ ବାବୁଙ୍କ ପାଇଁ ଖୋଲା ଆକାଶ ତଳେ ବୁଲିବାର ସୁଯୋଗ ସୃଷ୍ଟି ହୋଇଛି। ବେଆଇନ ଭାବେ ନେଇଥିବା ଚାଉଳର ବି ଯାଞ୍ଚ ହେବନି କି ଫେରାଇବାକୁ କହିବେନି ସରକାର। ସେପଟେ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇ ଚାଲିଛନ୍ତି। ବାରମ୍ବାର ସରକାରୀ ବାବୁଙ୍କୁ ରାସନ କାର୍ଡ ଫେରାଇବାକୁ ସରକାର ଅପିଲ କରିବା ପରେ ମାତ୍ର ସାଢେ ୪ ହଜାର କାର୍ଡ ଫେରସ୍ତ ହୋଇଛି। ଏବେ ଠାରୁ ଯଦି କେହି ସରକାରୀ କର୍ମଚାରୀ ରାସନ କାର୍ଡ ଫେରାଇବେନି, ତେବେ ଆକ୍ସନ ପାଇଁ ଚିନ୍ତା କରିବେ ରାଜ୍ୟ ସରକାର। ଏଯାଏ ୮୦ ହଜାର ଅଯୋଗ୍ୟ ହିତାଧିକାରୀ ୧୨ ହଜାରରୁ ଅଧିକ କାର୍ଡ ଫେରାଇବା ରାସନ କାର୍ଡ ବଣ୍ଟନ ପ୍ରକ୍ରିୟାକୁ କାଠଗଡ଼ାରେ ଠିଆ କରିଛି ।

ସରକାରୀ ବାବୁଙ୍କ ବେଆଇନ କାମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ରାଜ୍ୟ ସରକାର ବିଳମ୍ବ କରିଥିବାରୁ ଅନେକ ପ୍ରଶ୍ନ ଉଠିଛି।ସତସାହସ ଅଛି ତ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଆହ୍ବାନ ଦେଇଛି ବିଜୁ ଜନତା ଦଳ। ଯେଉଁମାନେ ସରକାରୀ କର୍ମଚାରୀ ବା ଅନ୍ୟ ମାନଦଣ୍ଡ ଖିଲାଫ କରି ରାସନ କାର୍ଡ ହାତେଇଛନ୍ତି, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ନିୟମ ରହିଛି।ହେଲେ ଯୋଗାଣ ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନ ନେବାକୁ ମନା କଲେ। ସରକାରୀ ବାବୁଙ୍କ ପ୍ରତି ସରକାରଙ୍କ ଭୟ କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି। ଆଗକୁ ପଞ୍ଚାୟତ, ପୌର ଓ ସାଧାରଣ ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କୁ ବିଜେପି ଏଜେଣ୍ଟ ଓ ଭୋଟ ବ୍ୟାଙ୍କ କରିବା ଉଦ୍ଦେଶ୍ୟରେ ସରକାର କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ଚୟନରେ ସରକାରୀ ତୃଟି ଯୋଗୁଁ କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁରେ ଠିକ୍ ସମୟରେ ଚାଉଳ ପହଞ୍ଚିଲା ନାହିଁ। ଅନାହାରରେ ଅନେକ ଜୀବନ ଗଲା। ଜାତିଆତି କରି ରାସନ କାର୍ଡ ହାତେଇଥିବା ସରକାରୀ ବାବୁଙ୍କୁ ରାଜ୍ୟ ସରକାର ଛାଡିବା ବଣ୍ଟନ ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ଉଛିଛି ଅନେକ ପ୍ରଶ୍ନ।

Latest Posts

Don't Miss