ରତ୍ନବେଦୀକୁ ବିଜେ ହେଲେ ଶ୍ରୀଜିଉ, ଶେଷ ହେଲା ୯ଦିନିଆ ରଥଯାତ୍ରା

1 min read

ପୁରୀ: ସରିଲା ଶ୍ରୀମନ୍ଦିର ବାହାରେ ଶ୍ରୀଜିଉଙ୍କ ଲୀଳାଖେଳା । ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କଲେ ଚତୁର୍ଦ୍ଧା ମୂରତୀ । ପ୍ରଥମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି କଳାଠାକୁର । ବଡ଼ ଆଡମ୍ବରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଭିତରେ ଶ୍ରୀମନ୍ଦିରକୁ ଫେରିଛନ୍ତି ଶ୍ରୀଜିଉ । ଶୃଙ୍ଖଳାର ସହ ଶେଷ ହୋଇଛି ନୀଳାଦ୍ରୀ ବିଜେ  ।

ନୀଳାଦ୍ରୀ ବିଜେ ଅବସରରେ ବଡ଼ଦାଣ୍ଡରେ ଜନସମୁଦ୍ର ଦେଖାଯାଇଥିଲା । ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । କରୋନା କଟକଣାର ଦୁଇ ବର୍ଷ ପରେ ଶ୍ରୀଜିଉଙ୍କୁ ପାଖରୁ ଦେଖିବା ଓ ଛୁଇଁବାର ସୁଯୋଗ ମିଳିଥିଲା  ଶ୍ରଦ୍ଧାଳୁମାନଙ୍କୁ । ପୁଣିଥରେ ଶ୍ରୀମନ୍ଦିରଙ୍କୁ ଫେରିବା ଅବସରରେ ଭାବବିହ୍ୱଳ ହୋଇଯାଇଥିଲେ ଶ୍ରଦ୍ଧାଳୁ  । ଆର ବର୍ଷକୁ ପୁଣି ଭକ୍ତ ଆଉ ଭଗବାନଙ୍କ ମିଳନ ହେବ  । ଆସନ୍ତାକାଲିଠାରୁ ପୁଣିଥରେ ଶ୍ରୀମନ୍ଦିରରେ ଅଭଡ଼ା ବାସିବ  । ଛପନ ଭୋଗ ଲାଗି ପ୍ରଭୁଙ୍କ ପାଖରେ ଲାଗି ହେବା ପରେ ବଜାରକୁ ଆସିବ  ।

ଶ୍ରୀମନ୍ଦିରକୁ ବିଜେ କରିବା ସମୟରେ ଜୟବିଜୟ ଦ୍ବାର ବନ୍ଦ କରିଦିଅନ୍ତି ଅଭିମାନୀନି ମହାଲକ୍ଷ୍ମୀ । ରଥଯାତ୍ରାରେ ସାଙ୍ଗରେ ନେଇ ନଥିବାରୁ ଅଭିମାନ କରିଥିଲେ ମହାଲକ୍ଷ୍ମୀ । ମହାପ୍ରଭୁ ଦ୍ବାର ପାଖରେ ପହଞ୍ଚିବା ପରେ ଚାଲିଥିଲା ବଚନିକା ବା କଳି । ମହାପ୍ରଭୁଙ୍କର ଏହା ଏକ ମାନବୀୟ ଲୀଳା । ଶେଷରେ ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା ଖୁଆଇ ମାନଭଞ୍ଜନ କରିଛନ୍ତି  । ତା’ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଯାଇ ରତ୍ନସିଂହାସନରେ ବିଜେ କରିଛନ୍ତି  । ଏହା ସହ ଶେଷ ହୋଇଛି ମହାବାହୁଙ୍କ ସର୍ବଶ୍ରେଷ୍ଠ ଯାତ୍ରା- ଘୋଷଯାତ୍ରା- ରଥଯାତ୍ରା  । ଆଷାଢ଼ ଶୁଳ୍କ ଦ୍ବିତୀୟାଠାରୁ ଶୂନ୍ୟଶୂନ୍ୟ ଲାଗୁଥିବା ଶ୍ରୀମନ୍ଦିର ପୁଣି ପୂରି ଉଠିଛି  ।