ଏଥର ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ୧୫ ଲକ୍ଷ ଭକ୍ତଙ୍କ ସମାଗମ ନେଇ ଆକଳନ

ପୁରୀ: ଏଥର ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରାକୁ ନେଇ ବସିଥିବା ପ୍ରଥମ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ଯୋଗୁ ଗତ ଦୁଇ ବର୍ଷ ବିନା ଭକ୍ତରେ ରଥଯାତ୍ରା ହୋଇଥିଲା । ତେଣୁ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପ୍ରବଳ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଶ୍ରୀଗୁଣ୍ଡିଚା ଦିନ ୧୫ ଲକ୍ଷ ଭକ୍ତଙ୍କ ସମାଗମ ନେଇ ଆକଳନ କରାଯାଉଛି । ରଥଯାତ୍ରାରେ ସୁରକ୍ଷା ଦୃଷ୍ଟିରୁ ସହରରେ ଲାଗିବ ବ୍ୟାପକ ସିସିଟିଭି । ସେହିପରି ସ୍ୱାସ୍ଥ୍ୟ, ଗମନାଗମନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଆଜିର ଏହି ସମନ୍ୱୟ ବୈଠକରେ ଆଲୋଚନା ହୋଇଛି । ଚଳିତ ରଥଯାତ୍ରାରେ ନିୟୋଜିତ ହେବେ ୨୦୦ରୁ ଅଧିକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ  । ଆଇନ ଶୃଙ୍ଖଳା ଦୃଷ୍ଟିରୁ ୧୦୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମୁତୟନ ହେବ ।

ତେବେ ଆଜିର ଏହି ବୈଠକରେ ରଥକାଠ, କନା ଓ ଦଉଡ଼ି ଯୋଗାଣ, ରଥ ନିର୍ମାଣ, ସ୍ୱାସ୍ଥ, ପରିମଳ ଓ ଗମନାଗମନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସେହିପରି ଚଳିତ ବର୍ଷ ସ୍ନାନପୂର୍ଣ୍ଣିମାରେ ମଧ୍ୟ ଭକ୍ତଙ୍କ ସମାଗମ ହେବ । ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ସହ ସ୍ନାନ ପୂର୍ଣ୍ଣିମା ରୀତି ଅନୁଷ୍ଠିତ ହେବ ।