‘ସରକାର କରିଥିବା ପାପର ପ୍ରାୟଶ୍ଚିତ କରୁଛନ୍ତି ଜଗନ୍ନାଥ ପ୍ରେମୀ’

ଭୁବନେଶ୍ୱର : ଗର୍ବ ଗଞ୍ଜନ ନରହରି, ଗର୍ବ ନ ସହନ୍ତି କାହାରି । ସରକାର କରିଥିବା ପାପର ପ୍ରାୟଶ୍ଚିତ କରୁଛନ୍ତି ଜଗନ୍ନାଥ ପ୍ରେମୀ । ଚାଲିଛି ପୂଜା ପାଠ, ଜଗନ୍ନାଥ ସହସ୍ରନାମ, ଜଗନ୍ନାଥ ଅଷ୍ଟକମ ଓ ଅନ୍ୟ ପୂଜାପାଠ। ମନ୍ତ୍ରଉଚ୍ଚାରଣ ଓ ଆଳତୀ ପାଇଁ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ସରକାରଙ୍କ ରଥ ପରିଚାଳନା ତୃଟି ପାଇଁ ତିନୋଟି ଅମୂଲ୍ୟ ଜୀବନ ଚାଲିଯାଇଛି । ଶ୍ରୀଜିଉଙ୍କ ଆରାଧନାରେ କିଛି ତୃଟି ବିଚ୍ୟୁତି ଯୋଗୁ ଏଭଳି ଅଘଟଣ ଘଟିଛି । କରାଯାଇଥିବା ଭୁଲର କ୍ଷମା ପ୍ରାର୍ଥନା ସହ ମୃତକଙ୍କ ପରିବାରକୁ ଶକ୍ତି ସାମର୍ଥ୍ୟ ଦିଅନ୍ତୁ ବୋଲି ଜଗନ୍ନାଥଙ୍କ ପାଖରେ ସମୂହ ପ୍ରାର୍ଥନା କରାଯାଇଛି। ଏକ ମିନିଟ ନିରବ ପ୍ରାର୍ଥନା କରାଯିବା ସହ ଜଗତର କଲ୍ୟାଣ ପାଇଁ ବିଭିନ୍ନ ପୂଜାପାଠ କରାଯାଇଛି। କ୍ଷମତାରେ କି ଶାସକ ଦଳରେ ରହିଲେ ବି ପ୍ରଭୁଙ୍କ ପ୍ରତି ସମର୍ପିତ ହେବା ଆବଶ୍ୟକ। ତେଣୁ ଗର୍ବ ଅହଂକାର ପରିତ୍ୟାଗ କରନ୍ତୁ ବୋଲି ଟ୍ରଷ୍ଟ ପକ୍ଷରୁ ଆହ୍ୱାନ ଦିଆଯାଇଛି। ମନ୍ଦିର ପରିଚାଳନା କମିଟି ଗଠନ ନ ହେବାକୁ ନେଇ ପ୍ରଶ୍ନ ଉଠିଛି । ଆଗରୁ ବି ରଥଯାତ୍ରା ବେଳେ ପୁରୀରେ ଲକ୍ଷାଧିକ ଭକ୍ତ ଆସନ୍ତି । କିନ୍ତୁ ଏଭଳି ଲଗାତର ଅବ୍ୟବସ୍ଥା ଓ ବିଶୃଙ୍ଖଳା କେବେ ଦେଖାଯାଇ ନଥିବା କହିଛନ୍ତି ଜଗନ୍ନାଥ ସଂସ୍କୃତି ପ୍ରଚାରକ।

ଜଗନ୍ନାଥ ସଂସ୍କୃତି ଗବେଷକଙ୍କ କହିବା କଥା ଯେଉଁମାନେ ଦାୟିତ୍ୱରେ ଅଛନ୍ତି ରଥଯାତ୍ରାର ମହତ୍ୱ ବୁଝୁ ନାହାନ୍ତି। ଖାଲି ପଦପଦବୀରେ ରହି ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଠିକ ନୁହେଁ। ରଥଯାତ୍ରା ପୂର୍ବରୁ ଖାଲି ବାରମ୍ବାର ବୈଠକ ବସିବାର ଅର୍ଥ କଣ ବୋଲି ପ୍ରଶ୍ନ କରିଛନ୍ତି ଗବେଷକ। ରଥଯାତ୍ରା ଦିନ ରଥରେ ଶ୍ରୀଜୀଉ ବିଜେ କରିସାରିବା ପରେ ଛେରାପହଁରା ପରେ କର୍ଡନ ଠିକ ଥିଲା। କିନ୍ତୁ ତା ପରେ କର୍ଡନ ଭାଙ୍ଗିଗଲା। ଏହାକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ଭିଭିଆଇପି ମାନେ ରଥ ଛୁଇଁବାକୁ ଚାହିଁବାରୁ ପ୍ରଥମ ଦିନ ରଥ ଟଣାଯାଇ ପାରିଲା ନାହିଁ। ସାଂସ୍କୃତିକ ମହୋତ୍ସବ ଭଳି ମଜା କରୁଛନ୍ତି । ଯାହା ଫଳରେ ଅନର୍ଥ ଘଟିଲା ବୋଲି କହିଛନ୍ତି ଗବେଷକ ।  ସେପଟେ ବଳଭଦ୍ର ପଡିବା ଘଟଣାର ତଦନ୍ତ ହୋଇ ଦଣ୍ଡବିଧାନ ହୋଇଥିଲେ ଚଳିତ ରଥଯାତ୍ରାରେ ଏଭଳି ହୋଇ ନଥାନ୍ତା। ଅଭିଜ୍ଞତାର ଅଭାବ ଓ ଖାଲି ଅଯଥା ବୈଠକ କରି ସମୟ ନଷ୍ଟ କଲେ ବୋଲି କୁହାଯାଇଛି। ଏଥର ରଥଯାତ୍ରାରେ ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟାପକ ହୋଇଛି। ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଦୁଃଖ। ଭିଆପି ସଂସ୍କୃତି ଓ ବହୁ ଅଧିକ ପାସ ବ୍ୟବସ୍ଥା ଏହାର କାରଣ ବୋଲି କୁହାଯାଉଛି।