କୋଭିଡ କଟକଣା ମଧ୍ୟରେ ସରିଲା ରଥଟଣା: ଟେଲିଭିଜନ୍ ମାଧ୍ୟମରେ ଦର୍ଶନ କଲେ ଭକ୍ତ

1 min read

ପୁରୀ: ସୁରୁଖୁରୁରେ ସରିଲା ରୀତିନୀତି । କୋଭିଡ କଟକଣା ଭିତର ସମ୍ପାଦିତ ହେଲା ରଥଟଣା । ଶରଧାବାଲିରେ ପହଞ୍ଚିଲା ୩ ରଥ । ଭକ୍ତଙ୍କୁ ବଡ଼ଦାଣ୍ଡ ମନା ଥିବା ବେଳେ ଟେଲିଭିଜନ୍ ମାଧ୍ୟମରେ ଶ୍ରୀଜିଉଙ୍କୁ କଲେ ଦର୍ଶନ । ପୂର୍ବ ନିର୍ଦ୍ଧରିତ ସମୟ ଅନୁଯାୟୀ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ ଲାଗି, ତଡ଼ପ ଲାଗି, ରୋଷ ହୋମ, ଅବକାଶ ନୀତି, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ଓ ବେଶ, ଗୋପାଳ ବଲ୍ଲଭ ଓ ସକାଳ ଧୂପନୀତି, ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ ପରେ ରଥ ଚକଡ଼ାକୁ ସାନିଟାଇଜ୍‌ କରାଯାଇଥିଲା ଏହାପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ।

Image

କଟକଣା ଯୋଗୁ ପୁରୀରେ ଭକ୍ତ ଘର ଭିତରୁ, ବଡ଼ଦାଣ୍ଡ ସଂଲଗ୍ନ ଗଳିକନ୍ଦିରେ ନିର୍ମିତ ବ୍ୟାରିକେଡ୍‌ ପାଖରୁ ଚାତକ ନୟନରେ ଚାହିଁ ରହିଥିଲେ । ଅପରପକ୍ଷରେ ସେବାୟତ ପୋଲିସ, ସମସ୍ତଙ୍କ ମୁହଁରେ ଥିଲା ମାସ୍କ । ଶେଷରେ ଉପନୀତ ହୋଇଥିଲା ସେ ମାହେନ୍ଦ୍ର ମୁହୂର୍ତ୍ତ । ପୁଷ୍ପ ସୁସଜ୍ଜିତ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ବାହାରି ଆସିଥିଲେ ଶ୍ରୀସୁଦର୍ଶନ ।

ସେବାୟତମାନେ ତାଙ୍କୁ କାନ୍ଧରେ ବସାଇ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରାଇଥିଲେ । ପରେପରେ ଧାଡ଼ି ପହଣ୍ଡିରେ ବିଜେ କରିଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥ- କାଳିଆ ସାଆନ୍ତ ।

କଟକଣା ଯୋଗୁ ଚଳିତବର୍ଷ ନୃତ୍ୟଶିଳ୍ପୀଙ୍କୁ କର୍ଡନ ଭିତରକୁ ଅନୁମତି ମିଳିନଥିଲା, ଆଉ ଯାହାଙ୍କୁ ମିଳିଥିଲା ସେ ନୃତ୍ୟମୁଦ୍ରାରେ ସମ୍ପୂର୍ଣ୍ଣ ଭାବରେ ଶ୍ରୀଜିଉଙ୍କ ନିକଟରେ ନିଜକୁ ସମର୍ପଣ କରିଦେଉଥିଲେ । ସିଂହଦ୍ଵାର ଭିତରୁ ଶ୍ରୀଜଗନ୍ନାଥଙ୍କ ଟାହିଆ ଦର୍ଶନ ମାତ୍ର ସମସ୍ତଙ୍କ ମଧ୍ୟରେ ଭକ୍ତିର ଉଦ୍‌ବେଳନ ସୃଷ୍ଟି ହୋଇଥିଲା ।

କଟକଣା ଯୋଗୁ ପୁରୀ ଯାଇ ନପାରି ଘରେ ବସି ଟେଲିଭିଜନରେ ଦର୍ଶନ କରୁଥିବା ଭକ୍ତ ଓ ପୁରୀରେ ବଡଦାଣ୍ଡ ସଂଲଗ୍ନ ଘର ଭିତରୁ ବଡ଼ଦାଣ୍ଡକୁ ଚାହିଁ ବସିଥିବା ଭକ୍ତଙ୍କ ଭିତରେ ସୃଷ୍ଟି ହୋଇଥିଲା ଅଦ୍‌ଭୁତ ଭାବାବେଗ । ଜୟ ଜଗନ୍ନାଥ କହି ସମର୍ପଣ ଭାବରେ ଦୁଇ ହାତ ଉଠି ଯାଇଥିଲା ଉପରକୁ । ଦୂର ବ୍ୟାରିକେଡ୍‌ ପାଖରେ ଅପେକ୍ଷା କରିଥିବା ଭକ୍ତ ଭାବବିହ୍ୱଳ ହୋଇ ଭୂମିରେ ଲୋଟି ପଡୁଥିଲେ ।

Image

ଭିଡ଼ ନଥିଲା, ସୀମିତ ଥିଲେ ସେବାୟତ ଓ ପୋଲିସ । ତଥାପି ସମସ୍ତେ ଥିଲେ ଉତ୍ସାହିତ । ତାଳଧ୍ୱଜ ରଥରେ ଶ୍ରୀବଳଭଦ୍ର, ଦର୍ପଦଳନରେ ଦେବୀ ସୁଭଦ୍ରା ଓ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥ ବିଜେ କରିବା ପରେ ନନ୍ଦିଘୋଷରେ ମଦନମୋହନ ବିଜେ କରିଥିଲେ । ତିନିରଥ ଉପରେ ଶ୍ରୀଜିଉଙ୍କୁ ଚିତାଲାଗି, ବେଶ ଓ ଅନ୍ୟନୀତି ପରେ ତିନି ରଥକୁ ଯାଇ ଦର୍ଶନ କରିଥିଲେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।

Image

ଏହାପରେ ଶ୍ରୀନଅରରୁ ତାମଯାନରେ ବାହାରିଥିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଗଜପତି ମହାରାଜା ଛେରା ପହଁରା କରିଥିଲେ । ଆରମ୍ଭ ହୋଇଥିଲା ରଥଟଣା ପାଇଁ ପ୍ରସ୍ତୁତି । ଗୋଟିଏ ପରେ ଗୋଟିଏ ରଥରୁ ଚାରମାଳ ଫିଟା ଯାଇଥିଲା । ତିନିରଥରେ ଘୋଡ଼ା ଓ ସାରଥି ଲାଗିବା ପରେ ଅପେକ୍ଷା ଥିଲା ଡାହୁକଙ୍କ ନିର୍ଦ୍ଦେଶକୁ ।

ନିର୍ଦ୍ଦେଶ ମିଳିବା ମାତ୍ର ଘଣ୍ଟଘଣ୍ଟା ନାଦରେ ସେବାୟତମାନେ ଜୟ ଜଗନ୍ନାଥ ଉଚ୍ଚାରଣ କରି ଆରମ୍ଭ କରିଥିଲେ ରଥଟଣା । ବିଧି ଓ ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ସୀମିତ ସଂଖ୍ୟକ ସେବାୟକ ସାମାଜିକ ଦୂରତା ରକ୍ଷା କରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ।

ପ୍ରବଳ ଖରାରୁ ରକ୍ଷା ପାଇଁ ସେବାୟତ ଓ ସୁରକ୍ଷାକର୍ମୀଙ୍କ ଉପରେ ଜଳ ସିଞ୍ଚନ କରାଯାଉଥିଲା । ସାନିଟାଇଜ୍‌ କରାଯାଉଥିଲା । ବଡ଼ଦାଣ୍ଡ ଥିଲା ଭକ୍ତଶୂନ୍ୟ । ମନେ ହେଉଥିଲା ସତେ ଯେମିତି ଶୂନ୍ୟ ଶୂନ୍ୟ ଗଡ଼ି ଯାଉଥିଲେ ତିନିରଥ । ଶୂନ୍ୟତା ଭିତରେ ଯେମିତି ଖୁନ୍ଦି ହୋଇଥିଲା ଭକ୍ତିଭାବ । ଭକ୍ତର ଭାବକୁ ଗ୍ରହଣ କରିବା ପାଇଁ ଭାବ ବିନୋଦିଆ ଅପଲକ ନେତ୍ରରେ ଚାହିଁ ରହିଥିଲେ ।

ଅଦୃଶ୍ୟରେ, ହୃଦୟରେ ଚାଲିଥିଲା ଭକ୍ତ ଓ ଭଗବାନଙ୍କ ମିଳନ । ବଡ଼ଦାଣ୍ଡ ଜନଶୂନ୍ୟ ସତ୍ତ୍ୱେ ତିନି ରଥର ଚାରିପଟେ କର୍ଡନ କରି ଜଗିରହିଥିଲେ ସୀମିତ ସଂଖ୍ୟକ ପୋଲିସ କର୍ମଚାରୀ। ସୀମିତ ସେବାୟତ ତିନି ରଥକୁ ଜନ୍ମବେଦୀ-ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ନୀତିନିର୍ଘଣ୍ଟ ପୂର୍ବରୁ ଆରମ୍ଭ ଓ ସଂପୂର୍ଣ୍ଣ ହୋଇଥିଲା ସବୁ ରୀତିନୀତି ।

Leave a Reply