ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ, ଆରମ୍ଭ ହେଲାଣି ତୁମ୍ବରେ ଅର ସଂଯୋଗ ପ୍ରକ୍ରିୟା

ପୁରୀ: ଚଳଚଞ୍ଚଳ ରଥଖଳା । ବିଶ୍ୱନିୟନ୍ତାଙ୍କ ରଥଯାତ୍ରା ପାଇଁ ଜାରି ରହିଛି ରଥ ନିର୍ମାଣ କାମ । ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ରଥକାମରେ ଏବେ ମହାରଣାଙ୍କ ସହ ସାମିଲ ହୋଇଛନ୍ତି ରୂପକାର ସେବାୟତ । ତୁମ୍ବ ନିର୍ମାଣ ପରେ ଅନୁକୂଳ ହୋଇଛି ସିଙ୍ଗଡ଼ାବାଡ଼ିଆ ନୀତି । ୩୨ଟି ତୁମ୍ବରେ ବିନ୍ଧ କରାଯାଇ ଅର ସଂଯୋଗ କରିଛନ୍ତି ଭୋଇ ସେବାୟତ । ମୋଟ ୬୭୨ଟି ଅର ସଂଯୋଗ ପରେ ପହି ସଂଯୋଗ ହୋଇ ଚକ ପ୍ରସ୍ତୁତ କରାଯିବ । ନୃସିଂହ ଚତୁର୍ଦ୍ଦଶୀଠାରୁ ରୂପକାର ସେବାୟତଙ୍କ ପ୍ରବେଶ ପରେ ଆରମ୍ଭ ହୋଇଛି କୋଣଗୁଜ ନିର୍ମାଣ କାର୍ଯ୍ୟ । ରଥ ସଂହିତା ଅନୁଯାୟୀ କୋଣ ଗୁଜରେ ନୃସିଂହ ବିରାଳ, ହସ୍ତି ବିରାଳ, ନର ବିରାଳ, ସିଂହ ବିରାଳ ଆଦି ଚିତ୍ର ଖୋଦେଇ କରାଯାଉଛି । ୨୨ ତାରିଖ ପବିତ୍ର ଭଉଁରୀ ଯାତ୍ରା ଅବସରରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥ ଚକରେ ଗୋଟିଆ ଲେଖାଏଁ ଅଖ ସଂଯୋଗ କରାଯାଇ ଚକା ଡେରା ନୀତି ଅନୁଷ୍ଠିତ ହେବ ।