ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ଆରମ୍ଭ ହେଲା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି

1 min read

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ରଥଯାତ୍ରା ପାଇଁ ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର । ରଥ ପ୍ରତିଷ୍ଠା ପୂଜା ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ଆସି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରିସାରିଛନ୍ତି ଚକ୍ରରାଜ ସୁଦର୍ଶନ । ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହେଲା ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି । ମୁଣ୍ଡରେ ଟାହିଆ ଲଗାଇ ଝୁଲିଝୁଲି ଆସୁଛନ୍ତି ବଡ଼ଠାକୁର । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଏହା ପରେ ଭଉଣୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ରଥରେ ବିଜେ କରିବେ ।

ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ ସକାଳ ୬ଟାରେ ମଙ୍ଗଳ ଆଳତି, ୬.୧୦ରେ ମଇଲମ, ୬.୩୦ରେ ତଡ଼ପଳାଗି ଓ ରୋଷ ହୋମ, ୭ଟାରେ ଅବକାଶ, ୭.୧୦ରେ ସୂର୍ଯ୍ୟପୂଜା, ୭.୩୦ରେ ଦ୍ୱାରପାଳ ପୂଜା ଓ ବେଶ ପୂଜା, ୮-୯ରେ ଗୋପାଳବଳ୍ଲଭ ଓ ସକାଳଧୂପ, ୯ଟାରେ ରଥ ପ୍ରତିଷ୍ଠା, ୯.୧୫ରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା । ଏହାପରେ ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥିଲା ।