ରଥାରୂଢ଼ ଶ୍ରୀଜିଉଙ୍କ ପାଖରେ ଲାଗି ହେଲା ଅଧରପଣା

1 min read

ପୁରୀ: ରଥଯାତ୍ରାର ଅନ୍ୟତମ ନୀତି ଅଧରପଣା ଶେଷ ହୋଇଛି । ରଥାରୂଢ଼ ତିନି ଠାକୁରଙ୍କ ପାଖରେ ଯଥାରୀତି ଅଧରପଣା ନୀତି ସମ୍ପନ୍ନ କରିଛନ୍ତି ସେବାୟତ । ମହାପ୍ରଭୁଙ୍କ ଏହି ନୀତି ଦେଖିବାକୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ପାଖରେ ଲାଗି ହୋଇଥିଲା ଅଧରପଣା । ରଥ ଉପରେ ପୂଜାର୍ଚ୍ଚନା ପରେ ସେବାୟତମାନେ ପଣା ଥିବା ତୁମ୍ବକୁ ଭାଙ୍ଗି ଦେଇଥିଲେ । ଏହାପରେ ଦେବୀ ସୁଭଦ୍ରାଙ୍କ ପାଖରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା । ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥିଲା ଅଧରପଣା ।

ବିଶ୍ବାସ ରହିଛି, ମହାପ୍ରଭୁଙ୍କ ଏହି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ୩୩ କୋଟି ଦେବାଦେବୀଙ୍କ ସମେତ ଚଣ୍ଡି, ଚାମୁଣ୍ଡା ଓ ଅଶରିରୀମାନେ ମଧ୍ୟ ସାମିଲ ହୋଇଥାନ୍ତି । ଏମାନଙ୍କୁ ତୃପ୍ତ କରିବାକୁ ତିନି ଠାକୁରଙ୍କ ପାଖରେ ଏହି ନୀତି ସମ୍ପନ୍ନ ହୋଇଥାଏ । ଅଧର ହାଣ୍ଡି ରଥ ଉପରେ ଭଙ୍ଗାଯିବା ପରେ ଏହି ପଣାକୁ ପାନ କରି ଏମାନେ ତୃପ୍ତ ହୋଇଥାନ୍ତି ।

କେମିତି ପ୍ରସ୍ତୁତ ହୁଏ ଅଧରପଣା

ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହଙ୍କ ଅଧର ପର୍ଯ୍ୟନ୍ତ ନିର୍ମିତ ତିନି ତିନଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥିଲା । ଶ୍ରୀପଞ୍ଚମୀ ଦିନଠାରୁ ତିନି ରଥର ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ସହ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଶୁଭାରମ୍ଭ ହୋଇଥିଲା । ତିନିରଥରେ ନିର୍ମାଣ ପରେ ସ୍ୱତନ୍ତ୍ର ଭାବେ ପାର୍ଶ୍ୱ ଦେବାଦେବୀମାନେ ବିଜେ କରି ନବ ଦିନାତ୍ମକ ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇଥିଲେ । ବିଶ୍ୱାସ ରହିଛି ଯଜ୍ଞ ପୂଜା ଦ୍ୱାରା ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ସହିତ ବହୁ ଦେବାଦେବୀ, ଚଣ୍ଡୀ, ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି । ତେବେ ସେମାନଙ୍କ ସନ୍ତୁଷ୍ଟ କରିବାକୁ ସ୍ୱତନ୍ତ୍ର ଭାବେ ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ  ପକ୍ଷରୁ ପ୍ରଦତ୍ତ ଛେନା, ଛାଚି, କ୍ଷୀର, ସର, ଗୋଲମରିଚ, କର୍ପୂର, ଜାଇଫଳ, କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯାଇ ଏହାକୁ ରଥ ଉପରେ ଭଙ୍ଗାଯାଏ l

ତୁମ୍ଭକାର ଆକାରରେ ନିର୍ମିତ ମାଟିହାଣ୍ଡିରେ ଏହି ଦୁର୍ଲଭ ପଣା ପ୍ରସ୍ତୁତ କରାଯାଇଥାଏ । ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠର କୂଅରୁ ପାଣିଆ ଆପଟ ସେବକମାନେ ପଣା ପାଇଁ ପାଣି ଯୋଗାଇଥିଲେ । ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ତିନି ରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡାମାନେ ପଞ୍ଚ ଉପଚାର ପୂଜା କରି ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗିବା ପରେ ପାର୍ଶ୍ବ ଦେବାଦେବୀ, ଚଣ୍ଡୀ, ଚାମଣ୍ଡା ଓ ଅଶରିରୀମାନେ ଏହି ପଣାକୁ ପାନ କରି ତୃପ୍ତି ଲାଭ କରିଥିଲେ ।