ପୁରୀରେ ଆରମ୍ଭ ହୋଇଛି ରଥ ଭାଙ୍ଗିବା ପ୍ରକ୍ରିୟା

ପୁରୀରେ ଆରମ୍ଭ ହୋଇଛି ରଥ ଭାଙ୍ଗିବା ପ୍ରକ୍ରିୟା । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏହାପରେ ମହାପ୍ରଭୁ ବଡ଼ଠାକୁରଙ୍କ ତାଳଧ୍ବଜ ରଥ ଏବଂ ଶେଷରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ୯ଜଣ ସେବକ ରଥ ଭାଙ୍ଗିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତିନି ରଥ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ୧୨ ରୁ ୧୫ ଦିନ ସମୟ ଲାଗିଥାଏ । ରଥ ସମ୍ପୂର୍ଣ୍ଣ ଭଙ୍ଗାଯିବା ପରେ ରଥର ମୁଖ୍ୟ ଅଂଶଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ମଶାଣି ଚଣ୍ଡୀ ନିକଟ ଗୋଦାମ ଘରେ ରଖାଯିବ । ପରବର୍ତ୍ତୀ ଅବସ୍ଥାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାଠଗୁଡିକୁ ନିଲାମ କରାଯିବ । ରଥର ଟୁକୁରା ଅଂଶ କାଠଗୁଡିକ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତିରେ ଲାଗିବ ବୋଲି କହିଛନ୍ତି ଶ୍ରୀମନ୍ଦିର ବରିଷ୍ଟ ତତ୍ତ୍ବାବଧାରକ । ମହାପ୍ରଭୁଙ୍କ ରଥଯାତ୍ରାରେ ବ୍ୟବହୃତ ରଥ ଗୋଟିଏ ଥର ବ୍ଯବହୃତ ହୋଇଥାଏ । ମହାପ୍ରଭୁଙ୍କ ଯାତ୍ରା ସମାପ୍ତ ହେଲେ ରଥ ଭାଙ୍ଗିଦିଆଯାଇଥାଏ । ଅକ୍ଷୟ ତୃତୀୟା ରେ ମହାପ୍ରଭୁଙ୍କ ନିକଟରେ ଆଜ୍ଞାମାଳ ଆସି ରଥ ନିର୍ମାଣ ହୁଏ ଏବଂ ମହାପ୍ରଭୁଙ୍କ ଆଜ୍ଞାରେ ରଥ ନିର୍ମାଣ ଶେଷ ହୁଏ ଏବଂ ମହାପ୍ରଭୁଙ୍କ ଆଜ୍ଞାରେ ରଥ ମଧ୍ୟ ଭଙ୍ଗାହୋଇଥାଏ । ଦୀର୍ଘ ୨ ମାସ ଧରି କଠିନ ପରିଶ୍ରମ କରି ରଥ ନିର୍ମାଣ କରିଥିବାରୁ ଆଜି ରଥ ଭାଙ୍ଗିବା ସମୟରେ ଭୋଇ ସେବକଙ୍କର ମନକୁ କଷ୍ଟ ହୋଇଛି ।