ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା, ନବଦିନାତ୍ମକ ଯାତ୍ରା ପାଇଁ ସଜାଗ କମିଶନରେଟ୍ ପୋଲିସ

1 min read

ଭୁବନେଶ୍ୱର: ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା । ସମନ୍ୱୟ ବୈଠକରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା । ନବଦିନାତ୍ମକ ଯାତ୍ରା ପାଇଁ ସଜାଗ କମିଶନରେଟ୍ ପୋଲିସ । ରଥ ଗଡ଼ିବାରେ ସମସ୍ୟା ସାଜିବ ଅଧା ଖୋଳା ରାସ୍ତା । ଜୁନ୍ ୨୦ରେ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା, ପରିମଳ, ଗମନାଗମନ, ଆଲୋକୀକରଣ, ଆଇନଶୃଙ୍ଖଳା ରକ୍ଷା ପ୍ରସଙ୍ଗରେ ଏକ ସମନ୍ୱୟ ବୈଠକ ପୋଲିସ ସେବା ଭବନଠାରେ ଅନୁଷ୍ଠିତ ହୋଇଛି । ବୈଠକରେ ଶୃଙ୍ଖଳିତ ରଥଯାତ୍ରା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ଵ ଦେବା ସହ ବିଭିନ୍ନ ରଥ କମିଟିର ସୁବିଧା ଅସୁବିଧା ନେଇ ବିସ୍ତୃତ ଆଲୋଚନା ହୋଇଛି । ରାଜଧାନୀ ଓ ଉପକଣ୍ଠରେ ଚଳିବର୍ଷ ୫୭ଟି ରଥଯାତ୍ରା ହେଉଥିବା ବେଳେ ଇସ୍କନରେ ଲକ୍ଷାଧିକ ଲୋକଙ୍କ ସମାଗମ ଆଶା ରହିଛି। ଏଣୁ ପୋଲିସ, ବିଏମସି, Watco, R and B, ଓଡ୍ରାଫ ଆଦିର ସମନ୍ୱୟରେ କିଭଳି ରଥଯାତ୍ରା ହେବ ସେ ନେଇ ସହଯୋଗ ଲୋଡିଛନ୍ତି ବିଭିନ୍ନ ରଥ କମିଟିର କର୍ମକର୍ତ୍ତା ।

ଆଲୋଚନା ସମୟରେ ରାଜଧାନୀର ଖୋଳା ହୋଇଥିବା ରାସ୍ତା ନେଇ ଉଦବେଗ ପ୍ରକାଶ ପାଇଥିଲା । ସେହିପରି ମୁକୁଳା ଡ୍ରେନ ମରାମତି, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ସ୍ଥାନ, ଆମ୍ବୁଲାନ୍ସ, ଗଛ କାଟିବା, ପାଣି ସିଞ୍ଚନ କରିବା ଆଦି ଦିଗକୁ ଫୋକସ କରାଯାଇଥିଲା । ସେହିପରି ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲେଡିଜ୍ ପୋଲିସ ମୁତୟନ ହେବେ ଓ କମିଟି ସଦସ୍ୟ ଯେଉଁମାନେ ରଥ କର୍ଡନ ଭିତରେ ରହିବେ । ସେମାନଙ୍କ ନିର୍ଦ୍ଦିଷ୍ଟ ପରିଚୟ ପତ୍ର ରହିବାକୁ ଗୁରୁତ୍ୱ ଦେଇଥିଲେ ଡିସିପି । ଗୁଣ୍ଡିଚା, ବାହୁଡା ଓ ସୁନାବେଶ ହେଉଥିବା ସ୍ଥାନରେ ଅପରାଧ ନିୟନ୍ତ୍ରଣ ମୂଖ୍ୟତଃ ପକେଟମାରଙ୍କ ଉପରେ ନଜର ରଖିବା ପାଇଁ ସାଦା ପୋଷାକରେ ରହିବେ ପୋଲିସ । ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ବିଏମସି ଅତିରିକ୍ତ କମିଶନର, ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।