ନୂଆ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କ କଡ଼ା ଆଭିମୁଖ୍ଯ; ସେବାୟତଙ୍କ ପାଇଁ କଟକଣା, ନମାନିଲେ ଆକ୍ସନ

1 min read

ପୁରୀ: ପହଣ୍ଡି ସମୟରେ ଚାରମାଳ ଉପରେ ବଡ଼ ଠାକୁର ବଳଦେବ ପଡିଯିବା ଘଟଣା ପରେ ବଦଳିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନୂଆ ପ୍ରଶାସକ ଭାବେ ଦାୟିତ୍ବ ନେଇଛନ୍ତି ଡକ୍ତର ଅରବିନ୍ଦ ପାଢୀ । ଆଉ ଦାୟିତ୍ବ ନେଉ ନେଉ ବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ଗ୍ରହଣ କରିଛନ୍ତି କଡା ଆଭିମୁଖ୍ୟ । ରଥ ଉପରେ ସେବାୟତଙ୍କ ପାଇଁ ଜାରି କରିଛନ୍ତି କଟକଣା । ବରିଷ୍ଠ ସେବାୟତମାନେ ବି ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିବାବେଳେ ଶାସ୍ତ୍ରୀୟ ବିଧି ଅନୁଯାୟୀ ପ୍ରାୟଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭା ସଦସ୍ୟ ପଣ୍ଡିତ ବିଶ୍ବମ୍ବର ଦାଶ ।

ରଥ ଉପରକୁ ଯିବନି ଫୋନ, ଉଠିବନି ସେଲଫି । ସେବା ନଥିଲେ ସେବାୟତଙ୍କୁ ରଥ ଚଢ଼ିବା ମନା । ରଥ ଉପରେ ବଡ ଠାକୁର ପଡ଼ିବା ପରେ କଠୋର ହୋଇଛି ଶ୍ରୀମନ୍ଦିର ପ୍ରଶାସନ । ରଥ ଉପରେ ଫଟୋ ଓ ସେଲଫି ନେବା ଉପରେ ଲାଗାଇଛି କଟକଣା । ଅନଧିକାର ପ୍ରବେଶ କଲେ ହେବ କାର୍ଯ୍ୟାନୁଷ୍ଠାନ ।

ଆଡପ ପହଣ୍ଡି ସମୟରେ ଅଘଟଣ ପରେ ସରକାରଙ୍କ ଚେତା ପଶିଛି । ବଦଳିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦାୟିତ୍ବ ନେଇଛନ୍ତି ନୂଆ ପ୍ରଶାସକ ଡକ୍ତର ଅରବିନ୍ଦ ପାଢୀ । ଆଉ ଚେତାଇ ଦେଇଛନ୍ତି, ମହାପ୍ରଭୁଙ୍କ ସେବାରେ ଅବ୍ୟବସ୍ଥାକୁ କରାଯିବନି ବରଦାସ୍ତ । ରଥ ଉପରେ ଅଣସେବାୟତ ରହିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ନୂଆ ପ୍ରଶାସକ । ରଥ ଉପରେ ରହୁଥିବା ସେବାୟତମାନେ ଫଟୋ ଓ ସେଲଫି ନେଇପାରିବେ ନାହିଁ । ଏପରିକି ମହାପ୍ରଭୁଙ୍କ ଆଗରେ କୌଣସି ସେବାୟତ ରହିପାରିବେ ନାହିଁ । ଆଗକୁ ବାହୁଡା, ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ନୀତିକାନ୍ତିକୁ ଶୃଙ୍ଖଳିତ କରିବାକୁ ସବୁ ନିଯୋଗ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଏପଟେ ଆଡପ ପହଣ୍ଡି ଅଘଟଣ ନେଇ ବରିଷ୍ଠ ସେବାୟତମାନେ ଦୁଃଖ ପ୍ରକାଶ କରିଛନ୍ତି । ସମନ୍ୱୟ ଅଭାବରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲି କହିଛନ୍ତି ବରିଷ୍ଠ ସେବାୟତ ରଘୁନାଥ ଗୋଛିକାର l ସେ କହିଛନ୍ତି, ଆଗାମୀ ଦିନରେ ଅଘଟଣର କିପରି ପୁନରାବୃତ୍ତି ହେବ ନାହିଁ ସେଥିପାଇଁ ସମସ୍ତେ ଯତ୍ନବାନ ରହିବୁ । ସେପଟେ ମୁକ୍ତିମଣ୍ଡପ ପଣ୍ଡିତ ସଭା ସଦସ୍ୟ ପଣ୍ଡିତ ବିଶ୍ବମ୍ବର ଦାଶ କହିଛନ୍ତି, ବିଧିବିଧାନ ଅନୁଯାୟୀ ପ୍ରାୟଶ୍ଚିତ କରିବାକୁ ପଡ଼ିବ । ସମସ୍ତଙ୍କ ମଙ୍ଗଳ ପାଇଁ ଏକ ଲକ୍ଷ ପଚିଶ ହଜାର ଜପ ସହ ହୋମ, ତର୍ପଣ, ମାର୍ଜନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।