ରଥଯାତ୍ରା ଏବଂ ବାଲି ଯାତ୍ରା ‘ଜାତୀୟ ଅମୃତ ସାଂସ୍କୃତିକ ଐତିହ୍ୟ’ ତାଲିକାରେ ତାଲିକାଭୁକ୍ତ

1 min read

ନନ୍ଦିଘୋଷ ବ୍ୟୁରୋ :  ରଥଯାତ୍ରା ଏବଂ ବାଲି ଯାତ୍ରା ଜାତୀୟ ଅମୃତ ସାଂସ୍କୃତିକ ଐତିହ୍ୟ ତାଲିକାରେ ତାଲିକାଭୁକ୍ତ । ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ ଦ୍ବାରା ବୈଶ୍ବିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ ନେଇ ପ୍ରଥମ ସୋପାନ ସଫଳତାର ସହ ଅତିକ୍ରମ ହୋଇଛି । UNESCO ମାନ୍ୟତା ସକାଶେ ପ୍ରଥମେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସଙ୍ଗୀତ ନାଟକ ଅକାଡେମୀର ଜାତୀୟ ଐତିହ୍ଯ ତାଲିକାଭୁକ୍ତ ହେବାକୁ ପଡୁଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହି ତାଲିକାଭୁକ୍ତ ହୋଇଛି ରଥଯାତ୍ରା । ଆବେଦନ ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଠିକଣା ସମୟରେ ନାମାଙ୍କନ ଦାଖଲ ହୋଇଥିଲା । ଗଜପତି ମହାରାଜାଙ୍କ ମାର୍ଗଦର୍ଶନ ତଥା ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଅନୁସାରେ, ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କ ନେତୃତ୍ବରେ କମ୍ ଅବଧି ମଧ୍ଯରେ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ମହାପ୍ରଭୁଙ୍କ ସେବକମାନେ ମଧ୍ଯ ଏଥିପାଇଁ ସହଯୋଗ କରିଥିଲେ । ଏଥିପାଇଁ ସମସ୍ତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ, ସେବକଙ୍କ ସହ ସହଯୋଗର ହାତ ବଢ଼ାଇଥିବା ବ୍ଯକ୍ତି ତଥା ଅନୁଷ୍ଠାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ  ।