ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ କରାଯିବ ରଥ କାଠ ପୂଜାର୍ଚ୍ଚନା

ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀପଞ୍ଚମୀ ତିଥି । ଏହି ଅବସରରେ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ଆଜି ସନ୍ଧ୍ୟାରେ ପୂଜାପାଠ କରାଯିବ ।

 

ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜା ମା ସରସ୍ୱତୀଙ୍କ ନିକଟରେ କରାଯିବାପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିବେ । ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ ।

ତେବେ ଆସନ୍ତା ରାମନବମୀ ତିଥିରେ ଅନୁକୂଳ କରାଯାଇ କାଠ ଚିରା ପ୍ରକ୍ରିୟା ଆରମ୍ଭ କରାଯିବ । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୬୯ ଖଣ୍ଡ କାଠ ମହଜୁଦ ଅଛି ଓ ଅବଶିଷ୍ଟ ୭୯୬ ଖଣ୍ଡ କାଠ ନୟାଗଡ ଓ ବୌଦ୍ଧ ବନଖଣ୍ଡ ରୁ ଅଣାଯିବ ।

Leave a Reply