ରଥଯାତ୍ରା ଦିନ ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚି ନପାରିଲେ କ’ଣ ହୁଏ ?

ସନ୍ଧ୍ୟା ହୋଇଗଲେ ସାଧାରଣତଃ  ରଥଟଣା ବନ୍ଦ ରଖାଯାଏ । ରଥମାନ ଗୁଣ୍ଡିଚା ଦାଣ୍ଡ ( ଗୁଣ୍ଡିଚା ମନ୍ଦିର ସାମ୍ନା ନିଦ୍ଧାରିତ ସ୍ଥାନ)ରେ ପହଞ୍ଚିବା ପରେ କିମ୍ବା ବାଟରେ ଯେଉଁଠି ରୁହନ୍ତି ସେଠାରେ ଠାକୁରମାନେ ମହାସ୍ନାନ ହୋଇ ନୂଆ ବୋଇରାଣୀ ଲୁଗାଲାଗି ହୋଇ ସର୍ବାଙ୍ଗ ଓ ବେଶ ହୁଅନ୍ତି । ବେଶ ପରେ ମଧ୍ୟାହ୍ନ ଧୂପଠାରୁ ଆରମ୍ଭ କରି ଅନ୍ୟାନ୍ୟ ନୀତି ହୁଏ । ରଥ ଉପରେ କେବଳ ଶୁଖିଲା ଭୋଗ ହୁଏ । ପହୁଡ଼ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ ପକାଇ ପାଳିଆ ପୁଷ୍ପାଳକମାନେ ଚାଲିଯାଆନ୍ତି । ରଥ ସାମ୍ନାରେ ପରଦା ବନ୍ଧାଯାଏ । ତିନିରଥ ନିର୍ଦ୍ଧାରିତ ସ୍ଥାନରେ ଲାଗିବାର ପରବର୍ତ୍ତୀ ଦିନ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବିଜେ ଆରମ୍ଭ ହୁଏ । ସନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ବିଜେ କରାଯାଏ ।

ବିଜେ କାହାଳି ବାଜିବା ପରେ ଡୋର ଲାଗି ଓ ପୁଷ୍ପାଞ୍ଜଳି କରାଯାଏ । ମହାଜନ ମାନେ ଆଗରେ ମଦନମୋହନ ଓ ରାମକୃଷ୍ଣଙ୍କୁ ହାତରେ ବିଜେ କରାଇ ନେଇ ଗୁଣ୍ଡିଚା ଘର ଭଣ୍ଡାର ଘର ସିଂହାସନ ଉପରେ ବିଜେ କରାନ୍ତି । ଏହାପରେ ଦଇତାମାନେ ସୁଦର୍ଶନଙ୍କୁ ବିଜେ କରାଇ ଆଣି ରତ୍ନ ସିଂହାସନ ଚାରତଳେ ବିଜେ କରାନ୍ତି । ଚାର ଉପରେ ରାଘବ ଦାସ ମଠ ଯୋଗାଇଥିବା ଟାହିଆ ଲାଗି କରାଯାଏ । ପତିମହାପାତ୍ର ଗରାବଡ଼ୁଠାରେ ଗାତୁଆଣି ନେଇ ଧଣ୍ଡି ଓ ଚନ୍ଦନ ଲାଗି କରନ୍ତି । କର୍ପୂର ଆରତି, ଦୂର୍ବାକ୍ଷତ, ସାତବତି, ସଞ୍ଜକାହାଳୀ ବନ୍ଦାପନା କରନ୍ତି ଓ ବିଡ଼ିଆ ମଣୋହି କରନ୍ତି । ଛାମୁଖୁଣ୍ଟିଆଙ୍କୁ ମଣିମା ଡାକ ଭିତରେ ଘଣ୍ଟ କାହାଳୀ ବାଜି ଗୁଣ୍ଡିଚା ଘରକୁ ପହଣ୍ଡି ବିଜେ କରାଯାଏ । ଯିବା ବାଟରେ ପନ୍ତି ଭୋଗ ହୁଏ ।

Leave a Reply