ପିଏମ ମୋଦି ଲ୍ୟାଣ୍ଡିଂ ପଏଣ୍ଟର ନାମ ଶିବଶକ୍ତି କେମିତି ରଖିଲେ? ଆମେ ଚନ୍ଦ୍ରର ମାଲିକ ନୁହେଁ: ରଶିଦ ଅଲଭି

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରୀସ ଗସ୍ତରୁ ଫେରିବା ପରେ ବେଙ୍ଗାଲୁରୁରେ ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚନ୍ଦ୍ରରପୃଷ୍ଠର ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଅବତରଣ କରିଛି ତାର ନାଁ ଏବେ ଶିବଶକ୍ତି ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଘୋଷଣାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରଶିଦ ଅଲଭି । ସେ କହିଛନ୍ତି ଯେ ଆମେ ସେହି ଲ୍ୟାଣ୍ଡିଂ ପଏଣ୍ଟର ମାଲିକ ନୁହେଁ ଯେ ନାମକରଣ କରିଦେବା ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ରଶିଦ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କୁ ଏହି ଅଧିକାର କିଏ ଦେଲା ଯେ ସେ ଚନ୍ଦ୍ରପୃଷ୍ଠର ନାମକରଣ କରିବେ? ଏହା ହାସ୍ୟାସ୍ପଦ ଅଟେ । ଏହି ନାମକରଣ ପରେ ସାରା ବିଶ୍ୱ ଏହା ଉପରେ ହସିବ । ଚନ୍ଦ୍ରର ସାଉଥ ପୋଲରେ ଲ୍ୟାଣ୍ଡିଂ ହେବା ଭଲ କଥା ଏବଂ ଏହା ଉପରେ ଆମକୁ ଗର୍ବ ମଧ୍ୟ ଲାଗୁଛି ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଆମେ ଚନ୍ଦ୍ରର ମାଲିକ ନୁହେଁ, ସେହି ଲ୍ୟାଣ୍ଡିଂ ପଏଣ୍ଟର ମାଲିକ ନୁହେଁ ଆମେ । ଏପରି କରିବା ବିଜେପିର ଅଭ୍ୟାସ ରହିଆସିଛି । ଯେବେଠୁ ସେ କ୍ଷମତାକୁ ଆସିଛି ନାମ ପରିବର୍ତ୍ତନର ଅଭ୍ୟାସ ରହିଛି ।

ଯେବେ ତାଙ୍କୁ ପଚରା ଯାଇଥିଲା ଯେ, ୟୁପିଏ ଶାସନ ସମୟରେ ଯେଉଁଠି ଚନ୍ଦ୍ରଯାନ-୧ର ଲ୍ୟାଣ୍ଡିଂ ହୋଇଥିଲା ସେହି ସ୍ଥାନର ନାଁ ଜବାହାର ପଏଣ୍ଟ ରଖାଯାଇଥିଲା, କିନ୍ତୁ ବିଜେପି କହୁଛି ଯେ ପିଏମ ଏହି ଲ୍ୟାଣ୍ଡିଂ ପଏଣ୍ଟର ନାଁ ତ ଅଟଳ ବିହାରୀ ବାଜପେୟୀ ବା ନିଜ ନାଁରେ ରଖିନାହିଁ । ଆପଣଙ୍କ ସରକାର ଜବାହାର ପଏଣ୍ଟ ନାଁ ରଖିଥିଲା । ଏହାର ଜବାବ ଦେଇ ଅଲଭି କହିଛନ୍ତି, ଜବାହାରଲାଲ ନେହେରୁଙ୍କ ତୁଳନା ଆପଣ କରିପାରିବେ ନାହିଁ । ଆଜି ଇସ୍ରୋ ଯାହା ବି ଅଛି ତାହା ପଣ୍ଡିତ ନେହେରୁଙ୍କ ଅବଦାନ କାରଣରୁ ହିଁ ଅଛି । ୧୯୬୨ ମସିହାରେ ପଣ୍ଡିତ ନେହେରୁ ଏବଂ ବିକ୍ରମ ସାରାଭାଇ ଇସ୍ରୋର ମୂଳଦୁଆ ପକାଇଥିଲେ । ଆପଣ କହିପାରିବେ ଯେ ପଣ୍ଡିତ ନେହେରୁ ଏହାର ଫାଉଣ୍ଡର ଥିଲେ । ତାହା ସମ୍ପୂର୍ଣ୍ଣ ଅଲଗା କଥା ଥିଲା, କିନ୍ତୁ ମୋଦୀ ଜୀ ଏହାର ରାଜନୀତିକରଣ କରୁଛନ୍ତି ବୋଲି ରଶିଦ କହିଛନ୍ତି ।