ବିଲୁପ୍ତ ହୋଇଯିବେ ମାନ୍ଧାତା ବାବାଙ୍କ ବିରଳ କଇଁଛ

1 min read

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମାନେଶ୍ବରରେ ଥିବା ମନ୍ଦିରରେ କାହିଁ କେତେ କାଳରୁ ମାନ୍ଧାତା ବାବା ରୂପେ ପୂଜା ପାଉଛନ୍ତି ଦେବ ଦେବ ମହାଦେବ । ଏହି ଐତିହାସିକ ମନ୍ଦିରର ବିଶେଷତ୍ତ୍ବ ହେଉଛି ଏଠାକାର ପୋଖରୀ । ଶହ ଶହ ବର୍ଷ ହେବ ଏହି ପୋଖରୀରେ ଦେଖାଯାଆନ୍ତି ଏକ ବିରଳ ପ୍ରଜାତିର କଇଁଛ । ମହାଦେବଙ୍କ ପାଖରେ ଭୋଗ ଲାଗି ପରେ ଏହାକୁ କଇଁଛଙ୍କୁ ଅର୍ପଣ କରାଯାଏ । ହେଲେ ପୋଖରୀର ରକ୍ଷଣାବେକ୍ଷଣା ଅଭାବରୁ ଏବେ ବିପଦରେ ପଡିଛି ଏହି ବିରଳ କଇଁଛଙ୍କ ଜୀବନ । ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଛି ଏମାନଙ୍କ ପ୍ରଜାତୀ । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

ସମ୍ବଲପୁର ସହରଠାରୁ ୮ କିମି ଦୂରରେ ରହିଛି ମାନ୍ଧାତା ବାବାଙ୍କ  ମନ୍ଦିର । ୧୫୬୦ ମସିହାରେ ସମ୍ବଲପୁରର ରାଜା ବଳରାମ ଦେବ ଏହି ଶିବ ମନ୍ଦିର ନିର୍ମାଣ କରିଥିଲେ । କାହିଁ କେଉଁ କାଳରୁ ମନ୍ଦିରରେ ଥିବା ପୋଖରୀରେ ଦେଖାଯାଆନ୍ତି ବିରଳ ପ୍ରଜାତୀର ବିଶାଳକାୟ କଇଁଛ । ଏହି କଇଁଛକୁ ବାବାଙ୍କ ଆଉ ଏକ ରୂପ ଭାବି ପୂଜା କରନ୍ତି ଶ୍ରଦ୍ଧାଳୁ । ମହାଦେବଙ୍କ ନିକଟରେ ଭୋଗ ଲାଗିବା ପରେ କଇଁଛକୁ ଏହା ଅର୍ପଣ କରାଯାଏ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରଜାତି ଏବେ ଲୋପ ପାଇବାକୁ ବସିଲେଣି l ଫଳରେ ପର୍ଯ୍ୟଟକ କଇଁଛ ଦେଖିବାରୁ ବଞ୍ଚିତ ହେଉଛନ୍ତି ।

ଅପରିଷ୍କାର ପରିବେଶ ପାଇଁ କଇଁଛ ଏଠାରେ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଥିବା ଅଭିଯୋଗ ହୋଇଛି । ପ୍ଲାଷ୍ଟିକ ବୋତଲଠାରୁ ଆରମ୍ଭ କରି ପଲିଥିନ ପକାଉଛନ୍ତି ଏଠାକୁ ଆସୁଥିବା ଲୋକ । ଅନେକ ଦିନରୁ ପୋଖରୀ ସଫେଇ ହୋଇ ନଥିବାରୁ ଆବର୍ଜନା ଭରି ରହିଛି । ତେଣୁ ସ୍ଥାନୀୟ ପ୍ରଶାସନ ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି । ଏବେଠାରୁ ଏହାର ସୁରକ୍ଷା ନକଲେ ଇତିହାସର ଏହି ସ୍ମୃତି ଦିନ ଇତିହାସରେ ମିଳେଇ ଯିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।