ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ଘନ ଅନ୍ଧାରରେ ଖୋଲିବ ଦ୍ୱାର, ସୁରକ୍ଷା ବଳୟ ମଧ୍ୟରେ ଯିବ ବେଶ ସାମଗ୍ରୀ

ପୁରୀ: ୨୬ ତାରିଖ ରାତି ୨ଟାରେ ଆରମ୍ଭ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ସୀମିତ ସେବାୟତଙ୍କୁ ନେଇ ଏହା ପାଳନ ହେବ ବୋଲି ମଙ୍ଗଳବାର ବୈଠକରେ ନିଷ୍ପତି ହୋଇଛି । ରାତି ୨ଟାରେ ଦ୍ୱାର ଫିଟା ଯିବା ପରେ ବେଶ ସାମଗ୍ରୀ ମନ୍ଦିର ଭିତରକୁ ନିଆଯିବ । କଡ଼ା ପୋଲିସ ସୁରକ୍ଷା ବଳୟ ଭିତରେ ସାମଗ୍ରୀ ନିଆଯିବ । ମନ୍ଦିର ଚାରିପଟେ ତ୍ରୀସ୍ତରୀୟ ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିବ ।

ତେବେ ମହାପ୍ରଭୁଙ୍କ ବେଶ ସମୟରେ ଭିତରକୁ ମୋବାଇଲ ନେବା ପାଇଁ ଅନୁମତି ନାହିଁ । ସେବାୟତ କିମ୍ବା କୌଣସି ଅଧିକାରୀ ମନ୍ଦିର ଭିତରକୁ ମୋବାଇଲ ନେଇପାରିବେ ନାହିଁ ବୋଲି ନିଷ୍ପତି ହୋଇଛି । ଯଦି କେହି ମୋବାଇଲ ନେବାକୁ ଚେଷ୍ଟା କରନ୍ତି କିମ୍ବା ମନ୍ଦିର ଭିତରକୁ ମୋବାଇଲ ନେଇଥିବାର ଜଣାପଡ଼େ ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଖାଲି ସେତିକି ନୁହେଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ଅନୁମତି ଦିଆଯିବ ନାହିଁ । ଯଦି କେହି ଭକ୍ତ ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ଆବଶ୍ୟକ ପଡ଼ିଲେ ମନ୍ଦିର ବାହାରେ ରଥଯାତ୍ରା ଭଳି ୧୪୪ ଧାରା ମଧ୍ୟ ଲାଗୁ କରାଯାଇପରେ ବୋଲି ବୈଠକରେ ନିଷ୍ପତି ହୋଇଛି ।

Mahaprabhu Nagatjuna Besa Puri Jagannath Mandir

ମଙ୍ଗଳବାର ଏନେଇ ନୀଳାଦ୍ରି ଭକ୍ତ ନିବାସରେ ବିଭିନ୍ନ ସେବାୟତ ନିଯୋଗର ସଦସ୍ୟଙ୍କ ଉପସ୍ଥିତିରେ ବୈଠକ ବସିଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ବୈଠକରେ ପୁରୀ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ । ସେପଟେ ନାଗାର୍ଜୁନ ବେଶ ସାମଗ୍ରୀ ପ୍ରସ୍ତୁତି କାମ ଅନ୍ତିମ ପର୍ଯ୍ୟରେ ପହଞ୍ଚିଲାଣି ବୋଲି ସୂଚନା ରହିଛି ।

ତେବେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ସରିବା ପରେ ତାକୁ ଓହ୍ଲାଯିବ । ସେଥିରେ ମଧ୍ୟ କଟକଣା ରହିଛି । ସୀମିତ ସେବାୟତଙ୍କ ମଧ୍ୟରେ ଏହି କାର୍ଯ୍ୟ ସମାପନ ହେବ । ବେଶ ଓହ୍ଲାଯିବା ପରେ ତାକୁ କିଏ ରଖିବ ବା ତାର ହକ୍‌ଦାର୍‌ କିଏ ସେନେଇ ଏବେ ସୁଦ୍ଧା କୌଣସି ନିଷ୍ପତି ହୋଇନାହିଁ । ତାହା ପର ମୂହୁର୍ତ୍ତରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବ । କିନ୍ତୁ ପ୍ରଥମେ ବେଶ ଓହ୍ଲାଯିବା ପରେ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ହେଫାଜତରେ ରହିବ । ଭକ୍ତଙ୍କ ଦର୍ଶନ ପାଇଁ ସଂଗ୍ରାହଳୟରେ ଏହାକୁ ରଖାଯିବ ବୋଲି ସ୍ଥିର ହୋଇଛି । ଅନ୍ୟପଟେ ଡିସେମ୍ୱର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ମଧ୍ୟରେ ଭକ୍ତଙ୍କୁ ଶ୍ରୀମନ୍ଦିରରେ ଦର୍ଶନ ଅନୁମତି ମିଳିପାରେ ବୋଲି ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ସୂଚନା ଦେଇଛନ୍ତି ।

Leave a Reply