ଦୁର୍ଲ୍ଲଭ ଆଫ୍ରିକାନ୍ ବ୍ଲାକଉଡ୍, କେଜି ୭ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଦାମୀ କାଠ । ଯାହା ଆଗରେ ଚନ୍ଦନ କାଠ ବି କିଛି ନୁହେଁ । ଗୋଟିଏ କେଜି କାଠର ମୂଲ୍ୟ ୭ ଲକ୍ଷରୁ ଅଧିକ ଟଙ୍କା । ପୃଥିବୀରେ ସବୁଠାରୁ ଦାମୀ ଜିନିଷ ମଧ୍ୟରୁ ଗୋଟିଏ । ଯାହାର ମୂଲ୍ୟ ଆଗରେ ସୁନା ବି କିଛି ନୁହେଁ । ଏହି କାଠରୁ ଖଣ୍ଡେ କିଣିବାକୁ ଚାହୁଁଥିଲେ ଧନୀ ଲୋକେ ବି ଶହେ ଥର ଚିନ୍ତା କରିଥାନ୍ତି ।

ଆମ ଦେଶରେ ଦାମୀ କାଠର କଥା ଉଠିଲେ ଚନ୍ଦନ ନାଁ ଆଗ ଆସିଥାଏ । ହେଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଚନ୍ଦନ ଦୁନିଆର ସବୁଠାରୁ ଦାମୀ କାଠ ନୁହେଁ । ଦୁନିଆର ସବୁଠାରୁ ଦାମୀ କାଠର ମୂଲ୍ୟ ସୁନାଠାରୁ ବି ଅଧିକ । ଯାହାକୁ ଦୁନିଆ ଆଫ୍ରିକାନ ବ୍ଲାକ ଉଡ୍ ନାଁରେ ଜାଣେ । ଆପଣ ଜାଣନ୍ତି ଚନ୍ଦନ କାଠ କିଲୋପ୍ରତି ୫ରୁ ୭ ହଜାର ଟଙ୍କାରେ ବିକ୍ରି ହୋଇଥାଏ । ହେଲେ ଆଫ୍ରିକାନ ବ୍ଲାକ ଉଡ୍ କିଲୋପ୍ରତି ୭ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହୋଇଥାଏ । ଯେଉଁଥିରେ ଆପଣ ଚାହିଁଲେ ଏକ ବିଳାଶପୂର୍ଣ୍ଣ କାର୍ କିଣି ପାରିବେ ।

କାହିଁକି ଏତେ ଦାମ ?

ଏବେ ଭାବୁଥିବେ ଏହି କାଠରେ ଏମିତି କ’ଣ ଅଛି, ଯେଉଁଥି ପାଇଁ ଏହାର ମୂଲ୍ୟ ଏତେ ଅଧିକ । ଆମେ ଏଠାରେ କହି ଦେବାକୁ ଚାହୁଁଛୁ, ଦୁନିଆରେ ଯାହା ଯେତେ କଷ୍ଟରେ ମିଳିଥାଏ ତା’ର ମୂଲ୍ୟ ସେତେ ଅଧିକ ହୋଇଥାଏ । ଆଫ୍ରିକାନ ବ୍ଲାକ ଉଡ୍ ସହ ମଧ୍ୟ ଏମିତି କିଛି ହୋଇଥାଏ । ପ୍ରଥମତଃ ଏହା ବହୁତ କମ ଦେଶରେ ଦେଖିବାକୁ ମିଳିଥାଏ । ଦ୍ବିତୀୟତଃ ଚୋରା ଚାଲାଣ କାରଣରୁ ଏହି ଗଛ ଏବେ ପ୍ରାୟ ବିଲୁପ୍ତ ଶ୍ରେଣୀରେ । ଏହାବାଦ ବ୍ଲାଉ ଉଡ୍ କାଠ ଅନ୍ୟ କାଠ ତୁଳନାରେ ବହୁତ ଅଧିକ ଶକ୍ତ ଓ ଦୀର୍ଘସ୍ଥାୟୀ ହୋଇଥାଏ । ଏସବୁ କାରଣ ପାଇଁ ଆଜି ଏ କାଠ ଦୁନିଆରେ ସବୁଠାରୁ ଦାମୀ ତାଲିକାରେ ରହିଛି ।

ଏହି ଗଛ ଆପଣଙ୍କୁ ଭାରତରେ ମିଳିବ ନାହିଁ । ନାଁ ଅନୁସାରେ ଆଫ୍ରିକାନ ବ୍ଲାକ୍ ଉଡ୍ ଗଛ ଓ କାଠ ଆଫ୍ରିକାରେ ହିଁ ମିଳିଥାଏ । ବିଶେଷ କରି ମଧ୍ୟ ଆଫ୍ରିକାର ସୁଖିଲା ବାତାବରଣରେ ଏହି ଗଛ ବହୁଳ ଭାବେ ଉଠିଥାଏ । ଏହି ଗଛ ସାଇଜରେ ବେଶି ବଡ଼ ହୋଇନଥାଏ । ଏହାର ଲମ୍ବା ୨୫ରୁ ୪୦ ଫୁଟ୍ ପର୍ଯ୍ୟନ୍ତ ହୋଇଥାଏ । ଏକ ପ୍ରାପ୍ତ ଆଫ୍ରିକାନ ବ୍ଲାକ ଉଡ ଗଛ ହେବାକୁ ପ୍ରାୟ ୬୦ ବର୍ଷ ଲାଗିଥାଏ । ହେଲେ, କେନିଆ ଓ ତାଞ୍ଜାନିଆ ଭଳି ଦେଶରେ ଚୋରା ଚାଲାଣ ପାଇଁ ଶୀଘ୍ର ଏହି ଗଛକୁ କାଟି ଦିଆଯାଇଥାଏ । ଏହି କାରଣରୁ ବ୍ଲାକ ଉଡ୍ ଗଛ ବହୁତ କମି ଯିବା ସହ ଦୁର୍ଲ୍ଲଭ ହୋଇଗଲାଣି ।

ବ୍ଲାକ୍ ଉଡରେ କ’ଣ ହୋଇଥାଏ ତିଆରି ?

 

ଆଫ୍ରିକାନ ବ୍ଲକ ଉଡ କାଠର ବ୍ୟବହାର କିଛି ବିଶେଷ ଜିନିଷରେ ହୋଇଥାଏ । ଫର୍ଣ୍ଣିଚର ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଇଥାଏ । ହେଲେ ବିଶେଷ କରି ବଂଶୀ, ସେହେନାଇ, ଗୀଟାର ଭଳି ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ନିର୍ମାଣରେ ବ୍ୟବହାର ହୋଇଥାଏ । ତେବେ ଯେଉଁ ଫର୍ଣ୍ଣିଚନ ବ୍ଲାକ ଉଡ କାଠରେ ତିଆରି ହୋଇଥାଏ ତାକୁ କିଣିବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ହୋଇନଥାଏ ।

ବିଲୁପ୍ତ ଦ୍ବାର ଦେଶରେ ବ୍ଲାକ ଉଡ୍

ଆଫ୍ରିକୀ ବ୍ଲାକ ଉଡକୁ ବାବନୁଜ ଓ ଗ୍ରୀନାଲିଡା ନାମରେ ମଧ୍ୟ ଜଣାଯାଏ । ବିଲୁପ୍ତ ଶ୍ରେଣୀକୁ ଆସି ଯାଇଥିବା ଏହି ଗଛର ସୁରକ୍ଷା ପାଇଁ ବହୁ ସଂଗଠନ ଆଗକୁ ଆସିବାରେ ଲାଗିଛନ୍ତି । ଅବାଧ ଚୋରାଚାଲାଣ କାରଣରୁ କେନିଆରେ ଏହି ଗଛ ଏବେ ଅସୁରକ୍ଷିତ ହୋଇଯାଇଛି । ସେହିପରି ତାଞ୍ଜାନିଆ ଓ ମୋଜାମ୍ବିକରେ ମଧ୍ୟ ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ଯେଉଁ ଗଛ ୬୦ ବର୍ଷରେ ବ୍ୟବହାର ପାଇଁ ଉପଯୁକ୍ତ ହୋଇଥାଏ ତାହାର ମୂଲ୍ୟ ତ ନିଶ୍ଚିତ ଅଧିକ ରହିବ । ଏମିତିରେ ଯଦି ଅସମୟରେ ଏହାକୁ କାଟି ଦିଆଯିବ ତେବେ ଶୀଘ୍ର ସେ ସମୟ ଆସିଯିବ ଯେବେ ଆମ ଭବିଷ୍ୟତ ଏହାକୁ ଇତିହାସରେ ପଢ଼ିବେ ।

Leave a Reply