ବୈଶିଙ୍ଗାରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୩ ଦୁର୍ବୃତ୍ତ

ମୟୂରଭଞ୍ଜ: ବୈଶିଙ୍ଗା ଥାନା କଳମା ପଞ୍ଚାୟତ ଅଧୀନ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ରଙ୍ଗ କାରଖାନା ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଶୁକ୍ରବାର ସନ୍ଧ୍ୟା ସମୟରେ ଏକ ଲଜ୍ଜାକର ଘଟଣା ଘଟିଯାଇଛି। ଜନୈକା ଯୁବତୀ ତାଙ୍କର ବାଲ୍ୟବନ୍ଧୁଙ୍କ ସହ ସାନ୍ଧ୍ୟ ଭ୍ରାମଣ ସମୟରେ ଘଟିଛି ଅଘଟଣ। ଅଜଣା ୪ଜଣ ଯୁବକ, ପୀଡ଼ିତା ଯୁବତୀର ବାଲ୍ୟ ବନ୍ଧୁଙ୍କୁ ମାଡ଼ ମାରି ଯୁବତୀକୁ ପାଖରେ ଥିବା ଜଙ୍ଗଲକୁ ନେଇ ଦୁଷ୍କମ କରିଥିବାର ଅଭିଯୋଗରୁ ଘଟଣା ସମ୍ପର୍କରେ ଜଣାପଡ଼ିଛି ।

ଉକ୍ତ ଅଭିଯୋଗକୁ ଆଧାର କରି ବୈଶିଙ୍ଗା ପୁଲିସ ୪ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗତ ରାତିରେ ବାଙ୍କତିରା ଗ୍ରାମରୁ ଉଠାଇ ଆଣିଥିବା ଜଣାଯାଇଛି। ଅଭିୟୁକ୍ତ ମାନେ ହେଲେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ବାଙ୍କତିରା ଅଞ୍ଚଳର ରାକେଶ ଜେନା, ରାଜେଶ ଜେନା ଓ ଦୀକ୍ଷିତ ଜେନା। ଏହି ଅଭିଯୋଗ ମୂଳେ ୩୦୨/୨୧ର ଏକ ମାମଲା ରୁଜୁ କରି ଆଜି ସନ୍ଧ୍ୟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ଏହି ମାମଲାଟିକୁ ବୈଶିଙ୍ଗା ଥାନା ଅଧିକାରୀ ନିଜେ ପରିଚାଳନା କରିବା ସହିତ ସତ୍ୟାସତ୍ୟ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Leave a Reply