ଏହି କାରଣରୁ ଦୁଷ୍କର୍ମ ଅଭିଯୁକ୍ତକୁ ଖଲାସ କରିଦେଲେ ବମ୍ବେ ହାଇକୋର୍ଟ

ନାଗପୁର: ବମ୍ବେ ହାଇକୋର୍ଟଙ୍କ ନାଗପୁର ଖଣ୍ଡପୀଠ ପୋକ୍ସ‌ୋ ଆଇନ ଅଧିନରେ ଆସିଥିବା ଏକ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ୧୫ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଖଲାସ କରି ଦିଆଯାଇଛି।

ହାଇକୋର୍ଟ କହିଛନ୍ତି, ୧୫ବର୍ଷର ଯୁବତୀଙ୍କ ବିନା ସହମତିରେ ଦୁଷ୍କର୍ମ କରାଯାଇ ପାରିବ ନାହିଁ । କାରଣ ପୀଡିତାଙ୍କ ବୟାନ ଅନୁସାରେ, ଦୁଷ୍କର୍ମକାରୀ ତାଙ୍କ ମୁହଁକୁ ଚାପି ଧରି ତାଙ୍କ ପୋଷାକ ଖୋଲିବା ସହ ନିଜର ପୋଷାକ ଖୋଲି ସାରି ଦୁଷ୍କର୍ମ କରିଥିଲା। ତେବେ ଜଣେ ଲୋକ ପୀଡିତାଙ୍କ ମୁହଁକୁ ଚାପି ଧରିବା ସହିତ ପୋଷାକ ଖୋଲିବ ଆଉ ଏହି ସମୟରେ ପୀଡିତା ତାଙ୍କୁ ‌ଠେଲାପେଲା କରି ଖସି ଯିବାକୁ ଉଦ୍ୟମ ନ କରିବା ବଡ଼ ଆଶ୍ଚର୍ଯ୍ୟ । ଏଭଳି ପରିସ୍ଥିତିରେ ଜଣେ ଦୁଷ୍କର୍ମ କରିବା ସମ୍ଭବ ନୁହେଁ।

ବିଚାରପତି ଜଷ୍ଟିସ୍ ପୁଷ୍ପା ଗନେଦିୱାଲାଙ୍କ କହିବାନୁସାରେ, ଯଦି ଏହା ଜୋରଜବରଦସ୍ତି ଦୁଷ୍କର୍ମ ଘଟଣା ହୋଇଥାଆନ୍ତା ତେବେ ପୀଡିତା ନିଜକୁ ବଞ୍ଚାଇବାକୁ ଦୁଷ୍କର୍ମକାରୀ ସହିତ ଠେଲାପେଲା ନିଶ୍ଚୟ କରିଥାଆନ୍ତେ। ଏପଟେ ମେଡିକାଲ ରିପୋର୍ଟ ବି ପୀଡିତାଙ୍କ ପକ୍ଷରେ ଯାଉ ନାହିଁ। କାରଣ ମେଡିକାଲ ରିପୋର୍ଟରେ କୌଣସି ପ୍ରକାର ଜୋରଜବରଦସ୍ତି କରିବାର ଚିହ୍ନ ପୀଡିତାଙ୍କ ଶରୀରରେ ନ ଥିବା ଜଣାପଡ଼ିଥିଲା। ବିଚାରପତି ୨୬ବର୍ଷୀୟ ଅଭିଯୁକ୍ତ ବିରୋଧରେ ଥିବା ଦୁଷ୍କର୍ମ ମାମଲାର ଶୁଣାଣି କରୁଥିବା ସମୟରେ ଏହି ପର୍ଯ୍ୟବେକ୍ଷଣ କରିଥିଲେ।

ଦୁଷ୍କର୍ମକାରୀ ଯୁବକଙ୍କ ବିରୋଧରେ ପୀଡିତାଙ୍କ ମା’ ୨୦୧୩ ଜୁଲାଇ ୨୬ ତାରିଖରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଚାର୍ଜସିଟ ଦାଖଲ କରିଥିଲା। ଏହି ମାମଲାରେ ନିମ୍ନ ଅଦାଲତରେ ଦଣ୍ଡ ଶୁଣାଣି ପରେ ଯୁବକ ହାଇକୋର୍ଟରେ ଆବେଦନ କରି କହିଥିଲା କି, ନାବାଳିକା ସହିତ ସେ ଦୁଷ୍କର୍ମ କରି ନାହାନ୍ତି। ଦୁହିଁଙ୍କ ସହମତିରେ ଏହି ସମ୍ବନ୍ଧ ହୋଇଥିଲା। ଏହାପରେ ନାବାଳିକାଙ୍କ ମା’ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ।

Leave a Reply