ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶା ୧୩ ନମ୍ବରରେ, ବର୍ଷକରେ ୮୨% ରାଜସ୍ୱ ଉତ୍ପାଦନ ବୃଦ୍ଧି

1 min read
Yamini Sarangi

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଦିଗରେ ଓଡ଼ିଶାକୁ ଆଉ ପାଦେ ସଫଳତା । ଗତ ବର୍ଷ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୬ ଥିବା ବେଳେ ୨୦୧୯-୨୦ରେ ଏହା ୧୩ରେ ପହଞ୍ଚିଛି । ଖାଦ୍ୟ ସୁରକ୍ଷା ଦିଗରେ ଓଡ଼ିଶାର ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଭର୍ଚୁଆଲ ବୈଠକ ପରେ ଏହି ସୂଚନା ମିଳିଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜନ ହୋଇଥିଲା । ଖାଦ୍ୟ ସୁରକ୍ଷା କମିଶନର୍ ଯାମିନୀ ଷଡ଼ଙ୍ଗୀ ଏନେଇ ବୈଠକରେ ସୂଚନା ଦେଇଥିଲେ ।

ଅନ୍ୟପଟେ ଏପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି, ଆଗକୁ ଆହୁରି ସତର୍କ ଏବଂ ସଚେତନ ରହିବାକୁ ପଡ଼ିବ । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଫବିଓକୁ ଖାଦ୍ୟ ନିରାପତ୍ତା ଦିଗରେ ଲୋକଙ୍କୁ ଆହୁରି ସଚେତନ କରିବାକୁ ହେବ । ଖାଦ୍ୟ ନିରାପତ୍ତା ନେଇ ତଦାରଖ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି ଖାଦ୍ୟ ସୁରକ୍ଷା ଗବେଷଣାକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ, ଖାଦ୍ୟ ପରୀକ୍ଷଣ ଲାବୋରେଟୋରୀ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଖାଦ୍ୟ ପରୀକ୍ଷଣରେ ଘରୋଇ ଲ୍ୟାବକୁ ସାମିଲ କରିବା ଇତ୍ୟାଦି ଦିଗ ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।

yamini Sarangi

ତେବେ FBO ର ପଞ୍ଜିକରଣ ଏବଂ ଲାଇସେନ୍ସ ପାଇଁ ଅନ୍‌ଲାଇନ୍ ବ୍ୟବସ୍ଥା ଆରମ୍ଭ ହୋଇସାରିଛି । ଏହାଦ୍ୱାରା ରାଜସ୍ୱ ବୃଦ୍ଧି ପାଇବ ବୋଲି କମିଶନର ଯାମିନୀ ଷଡ଼ଙ୍ଗୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ୨୦୧୯-୨୦ ଖାଦ୍ୟ ବର୍ଷରେ ରାଜସ୍ୱ ଉତ୍ପାଦନ ୭.୭୦ କୋଟିକୁ ବୃଦ୍ଧି ପାଇଛି । ୨୦୧୮-୧୯ ଖାଦ୍ୟ ବର୍ଷରେ ଏହା ୨.୧୮ରେ ରହିଥିଲା । ଏଥିରୁ ସ୍ପଷ୍ଟ ଯେ, ଗୋଟିଏ ବର୍ଷରେ ପ୍ରାୟ ୮୨% ରାଜସ୍ୱ ଉତ୍ପାଦନ ବୃଦ୍ଧି ପାଇଛି ।

ଖାଲି ସେତିକି ନୁହେଁ ରାଜ୍ୟରେ ପଞ୍ଜିକୃତ ତଥା ଲାଇସେନ୍ସ ପ୍ରାପ୍ତ FBO ସଂଖ୍ୟାରେ କ୍ରମାଗତ ଚାରି ବର୍ଷ ହେବ ବୃଦ୍ଧି ଘଟିଛି । ୨୦୧୬-୧୭ରେ ପଞ୍ଜିକୃତ FBO ସଂଖ୍ୟା ୫୦୨୬ ରହିଥିବା ବେଳେ ୨୦୧୭-୧୮ରେ ଏହା ୨୫୮୨୨କୁ ବୃଦ୍ଧି ପାଇଛି । ସେହିଭଳି ୨୦୧୮-୧୯ରେ ବର୍ଷରେ ୩୬୬୨୨କୁ ମଧ୍ୟ ଏହା ବୃଦ୍ଧି ପାଇଛି । ତେବେ ୨୦୧୯-୨୦ରେ ଏହା ରେକର୍ଡ ସଂଖ୍ୟକ ବୃଦ୍ଧି ପାଇ ୫୭୮୨୭ରେ ପହଞ୍ଚିଛି ବୋଲି ଶ୍ରୀମତି ଷଡ଼ଙ୍ଗୀ  କହିଛନ୍ତି ।

Leave a Reply