ରାନିଲ ବିକ୍ରମ ସିଂଘେ ଶ୍ରୀଲଙ୍କା ରାଷ୍ଟ୍ରପତି, ପାଞ୍ଚଥର ଥିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପାଞ୍ଚଥରର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ହେଲେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି । କାମଚଳା ରାଷ୍ଟ୍ରପତିରୁ ହେଲେ ଫୁଲ୍ ଟାଇମ ପ୍ରେସିଡେଣ୍ଟ । ଦକ୍ଷ ରାଜନେତା ଓ ବିଚକ୍ଷଣ କୂଟନୀତିଜ୍ଞ ଭାବେ ଖ୍ୟାତି ଅର୍ଜନ କରିଛନ୍ତି ରାନି । କଲମ୍ବୋରେ ୧୯୪୯ରେ ଜନ୍ମିତ ରାନିଲ ସିଲନ ଲ’ କଲେଜରୁ ଶିକ୍ଷାଲାଭ କରିଥିବାବେଳେ ଶିକ୍ଷା, ଅର୍ଥନୀତି ଓ ମାନବାଧିକାର କ୍ଷେତ୍ରରେ ଅବଦାନ ଲାଗି ତାଙ୍କୁ ମିଳିଥିଲା ଡକ୍ଟୋରେଟ ।

ସେ ପ୍ରଥମେ ୟୁନାଇଟେଡ ନ୍ୟାସନାଲ ପାର୍ଟିରେ ଯୋଗ ଦେଇଥିଲେ । ୧୯୭୭ରେ ତତକାଳୀନ ଜେ.ଆର ଜୟବର୍ଦ୍ଧନେ ସରକାରରେ ସେ ଥିଲେ ବୈଦେଶିକ ବ୍ୟାପାର ଉପମନ୍ତ୍ରୀ । ୧୯୮୦ରେ ସେ ହୋଇଥିଲେ ଶିକ୍ଷା ମନ୍ତ୍ରୀ । ୧୯୮୯ରେ ସେ ହୋଇଥିଲେ ଶିଳ୍ପମନ୍ତ୍ରୀ । ସେ ପ୍ରଥମ ଥର ଲାଗି ଅଗଷ୍ଟ ୧୯୯୩ରରୁ ୧୯୯୪ ହୋଇଥିଲେ ପ୍ରଧାନମନ୍ତ୍ରୀ । ଦ୍ବିତୀୟ ଥର ଲାଗି ସେ ଡିସେମ୍ବର ୨୦୦୧ରୁ ଏପ୍ରିଲ ୨୦୦୪ ଯାଏ ସମ୍ଭାଳିଥିଲେ ପ୍ରଧାନମନ୍ତ୍ରୀ ଦାୟିତ୍ବ ।

ତୃତୀୟଥର ଲାଗି ସେ ଜାନୁଆରୀ ୨୦୧୫ରୁ ଅକ୍ଟୋବର ୨୦୧୮ ଯାଏ ହୋଇଥିଲେ ପ୍ରଧାନମନ୍ତ୍ରୀ । ଚତୁର୍ଥ ଥର ଲାଗି ସେ ଡିସେମ୍ବର ୨୦୧୮ରୁ ନଭେମ୍ବର ୨୦୧୯ ଯାଏ ପ୍ରଧାନମନ୍ତ୍ରୀ ହୋଇଥିଲେ । ଗତ ମେ ୨୦୨୨ରେ ସେ ପଞ୍ଚମ ଥର ଲାଗି ପ୍ରଧାନମନ୍ତ୍ରୀ ହୋଇଥିଲେ । ଗତ ଜୁଲାଇ ୧୭ରେ ରାନିଲ ହୋଇଥିଲେ କାମଚଳା ରାଷ୍ଟ୍ରପତି । ଦେଶରେ ଜଣ କ୍ରାଇସିସ ମ୍ୟାନେଜର ଭାବେ ଖ୍ୟାତି ଅର୍ଜନ କରିଛନ୍ତି ରାନିଲ ।