ବ୍ରହ୍ମପୁର : ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକର କନିଷି ତହସିଲ ଠାରୁ ରଙ୍ଗୀପୁର ରାସ୍ତା ଉପରେ ୪ ରୁ ୫ଟି ଅଞ୍ଚଳର ଲୋକେ ନିର୍ଭର କରନ୍ତି । ହେଲେ ରାସ୍ତାର ଦୁରାବସ୍ଥା ପାଇଁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି । ଛାତ୍ରଛାତ୍ରୀ ସ୍କୁଲକୁ ଯାଉଥିବା ବେଳେ ଧୂଳି ଧୂଆଁରେ ନୟାନ୍ତ ହେଉଛନ୍ତି । ବର୍ଷା ହେଲେ କାଦୁଅ ପଚପଚ ହୋଇ ପଡୁଥିବା ରାସ୍ତାରେ ଯିବା ମୁସ୍କିଲ ହୋଇ ପଡୁଛି । ଗତ ୩ ବର୍ଷ ହେଲାଣି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ଏହି ରାସ୍ତା ପ୍ରଶାନର ଅବହେଳାରୁ ଅଧାପନ୍ତରିଆ ଭାବେ ପଡ଼ିରହିଛି । ଏନେଇ ବାରମ୍ବାର ଗ୍ରାମ୍ଯ ନିର୍ମାଣ ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଫଳ ଶୂନ ।
୨୦୨୨ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା ରାସ୍ତା କାମ । ୨୦୨୨ ଡିସେମ୍ବରରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ୧୪୪.୨୪ ଲକ୍ଷ ବିନିୟମରେ ଏହାର ନିର୍ମାଣ କରିବାକୁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ମାତ୍ର ୨୦ ରୁ ୩୦ ଶତକଡ଼ା କାମ ସରିଛି । କିଛି ସ୍ଥାନରେ ପିଚୁ ପଡ଼ିଥିବା ବେଳେ ସେସବୁ ଉଠି ଗଲାଣି । ସ୍ଥାନୀୟ ବାସିନ୍ଦା ବ୍ରହ୍ମପୁର ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ଯ କାମ ଆଗେଇ ପାରୁନି । ଏନେଇ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ କିଛିଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ।

