ନନ୍ଦିଘୋଷ ବ୍ୟୁରୋ : ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ରଙ୍ଗାରେଡ୍ଡି ଜିଲ୍ଲାର ଚେଭେଲା ମଣ୍ଡଳ ଅଞ୍ଚଳର ମିର୍ଜାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ହାଇଦ୍ରାବାଦ-ବିଜାପୁର ରାଜପଥରେ ଏକ ଦ୍ରୁତଗାମୀ ଟିପ୍ପର ଏକ ଯାତ୍ରୀବାହୀ ବସ୍ ସହିତ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ଟିପ୍ପରଟି ଓଲଟି ପଡ଼ି ବସ୍ ଉପରେ ପଡ଼ିଗଲା, ଟ୍ରକରେ ବୋଝେଇ ପଥର ତଳେ ଅନେକ ଯାତ୍ରୀ ଫସି ଯାଇଥିଲେ।
ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ। ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଟ୍ରକଟି ଦ୍ରୁତ ଗତିରେ ଯାଉଥିଲା। ହଠାତ୍ ମୋଡ଼ ନେବା ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିଲା।
ଦୁର୍ଘଟଣାଗ୍ରସ୍ତ ବସଟି ତନ୍ଦୁର ଡିପୋର ଥିଲା । ଏଥିରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ଯୋଗୁଁ ଚେଭେଲା ଏବଂ ଭିକାରାବାଦ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅଧିକାରୀମାନେ ଆଶଙ୍କା କରୁଛନ୍ତି।

