‘୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ୍‌ ଧାନ କିଣା ହୋଇଛି , ମାର୍ଚ୍ଚ ୩୧ ଯାଏଁ ଜାରି ରହିବ‘

ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ ଧାନ କିଣାଗଲାଣି  । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଯୋଗ୍ୟ ଚାଷୀଙ୍କ ଧାନ କିଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଧାନକିଣା ନେଇ ଆଜି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ ଏହି ବିବୃତି ରଖିଛନ୍ତି  । ସେ କହିଛନ୍ତି, ବିଗତ ଖରିଫଋତୁ ତୁଳନାରେ ୧୮ପ୍ରତିଶତ ଅଧିକ ଧାନ କିଣାଯାଇଛି । ପଞ୍ଜିକୃତ ଯୋଗ୍ୟ ଚାଷୀଙ୍କର ଧାନ ବିକ୍ରିରେ ଯେମିତି ସମସ୍ୟା ନହେବ, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାର ଧାନ କିଣା ନେଇ ଯେଉଁ ସମସ୍ୟା ରହିଛି, ସେନେଇ ତଦନ୍ତ ଚାଲିଛି । ଟୋକନ ଲାପ୍ସ, ଜାଲିଆତି କରି ଧାନ ବିକୁଥିବା ଚାଷୀଙ୍କ କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି । ପଞ୍ଜିକୃତ  ଯୋଗ୍ୟ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ । ଯେଉଁ ବିଧାୟକମାନେ ନିର୍ଦ୍ଦିଷ୍ଟ ଅଭିଯୋଗ କରିବେ, ଆମେ ତାର ସମାଧାନ କରିବୁ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । ଚଳିତ ଖରିଫରେ ଏବେ ସୁଦ୍ଧା ୧୧ ଲକ୍ଷ ୫୦ ହଜାର ଚାଷୀ ସରକାରଙ୍କୁ ଧାନ ବିକ୍ରି କରିସାରିଲେଣି  । ଗତ ବର୍ଷ ଏହି ସମୟକୁ ଚାଷୀଙ୍କ ସଂଖ୍ୟା ଥିଲା ୯ ଲକ୍ଷ ୩୦ ହଜାର  ।  ଗତକାଲି ସର୍ବଦଳୀୟ ବୈଠକର ନିଷ୍ପତ୍ତି କ୍ରମେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଆଜି ଧାନ ସଂଗ୍ରହ ନେଇ ବିବୃତି ରଖିଥିଲେ  । ହେଲେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକ କକ୍ଷତ୍ୟାଗ କରିଥିଲେ ।

Leave a Reply