ବଢ଼ିପାରେ ରାଣା ଦମ୍ପତିଙ୍କ ସମସ୍ୟା, ଦାଉଦ ଗ୍ୟାଙ୍ଗ୍‌ ସହିତ ଜଡ଼ିତ ଅଭିଯୋଗରେ ରୁଜୁ ହୋଇପାରେ ମାମଲା

1 min read

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତ ନିର୍ଦଳୀୟ ସାଂସଦ ନବନୀତ କୌର-ରାଣା ଏବଂ ତାଙ୍କ ବିଧାୟକ ପତି ରବି ରାଣାଙ୍କ ଉପରେ ବିଲଡର ଏବଂ ଫିଲ୍ମ ଫାଇନାନ୍ସର ୟୁସୁଫ୍‌ ଲକଡ଼ବାଲାଙ୍କ ସହିତ ଅବୈଧ  ନେଣଦେଣ ମାଧ୍ୟମରେ ୮୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ଆଣିଛନ୍ତି । ଯେଉଁଥିପାଇଁ ମୁମ୍ବାଇ ପୁଲିସର ଆର୍ଥିକ ଅପରାଧ ଶାଖା ବା EOW ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଧିକାରୀଙ୍କ କହିବା ହେଉଛି, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ମହାରାଷ୍ଟ୍ର ସରକାରଙ୍କୁ ନିର୍ଦଳୀୟ ଲୋକସଭା ସାଂସଦ ନବନୀତ ରାଣାଙ୍କୁ ଗିରଫ ଏବଂ ପୁଲିସ୍‌ ଦ୍ୱାରା ଅମାନବିକତା ବ୍ୟବହାର ଅଭିଯୋଗରେ ଏକ ତଥ୍ୟାତ୍ମକ ରିପୋର୍ଟ ମାଗିଥିଲେ ।

ସୂଚନାଯୋଗ୍ୟ ଅମରାବତୀ ସାଂସଦଙ୍କୁ ଶନିବାର ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କ ସହିତ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିଜ ଆବାସ ‘ମାତୋଶ୍ରୀ’ ବାହାରେ  ହନୁମାନ ଚାଳିସା ଜପ କରିବା ପାଇଁ ଆହ୍ୱାନ କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା ।

ଏହା ପୂର୍ବରୁ ନବନୀତ କୌର ମଙ୍ଗଳବାର ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ କିଛି ମନ୍ତବ୍ୟ ପାଇଁ ମାମଲା ରୁଜୁ କରିବାକୁ ଦାବି କରି ପୁଲିସରେ ଏତଲା ଦେଇଥିଲେ । ସୂଚନା ଅନୁସାରେ ସଞ୍ଜୟ ରାଉତ ନବନୀତ ଏବଂ ତାଙ୍କ ପତିଙ୍କୁ ବଣ୍ଟି ଔର ବବଲି ବୋଲି କହିଥିଲେ ।

ପୁଲିସ୍‌ ଦମ୍ପତିଙ୍କ ବିରୋଧରେ ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରିଛି । ଯେଉଁଥିରେ ଦେଶଦ୍ରୋହ ମଧ୍ୟ ସାମିଲ ରହିଛି ।