ଭୁଶୁଡ଼ିଲା ଆଜମଙ୍କ ଗଡ଼, ରାମପୁରରୁ ବିଜେପି ବିଜୟୀ

ରାମପୁର: ଭୁଶୁଡ଼ିଲା ଆଜମଙ୍କ ଗଡ଼ । ରାମପୁରରେ ବିଜେପିର ବଡ଼ ବିଜୟ । ଉତ୍ତରପ୍ରଦେଶର ରାମପୁର ବିଧାନସଭା ଆସନର ଉପନିର୍ବାଚନରେ ବିଜେପିର ଐତିହାସିକ ବିଜୟୀ । ବିଜେପି ପ୍ରାର୍ଥୀ ଆକାଶ ସକ୍ସେନା ସମାଜବାଦୀ ପାର୍ଟିର ଆସିମ ରଜାଙ୍କୁ ୩୩୭୦୨ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ଆସିମ ରଜାଙ୍କୁ ୪୭୨୬୨ ଭୋଟ ମିଳିଛି ସେହିପରି ଆକାଶ ସକ୍ସେନାଙ୍କୁ ୮୦୯୬୪ ଭୋଟ ମିଳିଛି । ସୂଚନାଥାଉକି ଏଠାରେ ସବୁଠୁ କମ୍ ୩୩.୯୪ ପ୍ରତିଶତ ମତଦାନ ହୋଇଥିଲା ।

ସମାଜବାଦୀ ପାର୍ଟି ଅଭିଯୋଗ କରିଥିଲା ଯେ ବିଜେପି ସରକାରୀ କଳର ବ୍ୟବହାର କରି ଲୋକମାନଙ୍କୁ ଭୋଟ ଦେବାରୁ ବଞ୍ଚିତ କରିଛି । ଭୋଟରଙ୍କୁ ମତଦାନ ସାବ୍ୟସ୍ତ କରିବାକୁ ଦିଆଯାଇ ନଥିବା ଅଭିଯୋଗ ହୋଇଥିଲା । ରାମପୁର ବିଧାନସଭା ଆସନ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ଗଡ଼ ଭାବରେ ଜଣାଯାଉଥିଲା । ଦୀର୍ଘ ବର୍ଷ ହେବ ଆଜମ ଏଠାରୁ ନିର୍ବାଚିତ ହେଉଥିଲେ । ହେଲେ ନିକଟରେ ଏକ ମାମଲାରେ ତିନି ବର୍ଷର ଦଣ୍ଡ ବିଧାନ ପରେ ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରାଯାଇଥିଲା । ଯେଉଁ କାରଣରୁ ଏଠାରେ ନିର୍ବାଚନ ହୋଇଥିଲା ।