ରାମ୍ପରେ ଚାଲିଲେ ଭୁବନେଶ୍ୱର ମେୟର, ଡେପୁଟି ମେୟର ଓ ମହିଳା କର୍ପୋରେଟର

ନନ୍ଦିଘୋଷ ବ୍ୟୁରୋ: ରାମ୍ପରେ ଚାଲିଲେ ଭୁବନେଶ୍ୱର ମେୟର, ଡେପୁଟି ମେୟର ଓ ମହିଳା କର୍ପୋରେଟର । ନାଚ ଗୀତ ଓ ଡ୍ରାମାରେ କମ୍ପିଲା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ । ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଏମସି ରିକ୍ରିଏସନ କ୍ଳବ ପକ୍ଷରୁ ୫୪ ତମ ବାର୍ଷିକ ଉତ୍ସବ ରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ରଙ୍ଗୀନ ଆଲୋକ ସହ ମ୍ୟୁଜିକର ତାଳେ ତାକେ ମଞ୍ଚରେ ଭଳିକି ଭଳି ହସ୍ତତନ୍ତ ଶାଢ଼ୀରେ ନିଜକୁ ସଜାଇ ମହିଳା କର୍ପୋରେଟର୍ ଏବଂ ଅଧିକାରୀମାନେ ଏହି ଶୋରେ ସାମିଲ ହୋଇଥିଲେ । ବିଏମ୍ ସି ଇତିହାସରେ ଏହା ପ୍ରଥମ ଓ ଭିନ୍ନ ସ୍ଵାଦର ହୋଇଥିଲା ଏହି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାଶ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବିଏମସି କମିଶନର ଚଞ୍ଚଳ ରଣା, ଡେପୁଟି ମେୟର ମଞ୍ଜୁଲତା କହଁର, କଲଚୁରାଲ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂ ଓ ରିକ୍ରିଏସନ କ୍ଳବ ସମ୍ପାଦକ ଶୁଭ୍ରକାନ୍ତ ପାଢ଼ୀଙ୍କ ସମେତ ବିଏମସିର ସମସ୍ତ କର୍ପୋରେଟର ଓ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ ।
ଏଭଳି ପ୍ରୟାସ କୁ ସମସ୍ତେ ସାଧୁବାଦ ଜଣାଇଛନ୍ତି । ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ ରିକ୍ରିଏସନ୍ କ୍ଲବ୍ର ବାର୍ଷିକ କାର୍ଯ୍ୟକ୍ରମ ଓ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ଉପଲକ୍ଷେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏଥିରେ ଇଣ୍ଡୋର ଗେମ୍, ଆଉଟ୍ ଡୋର୍ ଗେମ୍,ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିରେ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଛି । ଜୀବନର ଅକ୍ଲାନ୍ତ ଯାତ୍ରାରେ ଟିକେ ନିଜ ପସନ୍ଦରେ ସମୟ ବିତାଇ ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଆଣିଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ଆୟୋଜକ କହିଚିନ୍ତି । ସେପଟେ ଏହି କାର୍ଯ୍ୟକ୍ରମ ରେ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ,ଅତିରିକ୍ତ କମିଶନର ରତ୍ନାକର ସାହୁ ଏବଂ ସହାୟକ କମିଶନର ସତ୍ୟଜିତ ସାହୁଙ୍କ କଣ୍ଠରେ ସୁମଧୁର ସଂଗୀତରେ ମୁଗ୍ଧ ହୋଇଥିଲେ ଦର୍ଶକ । ଏହାପରେ ଆରମ୍ଭ ହୋଇଥିଲା ସେହିପରି ସମ୍ବଲପୁରୀ ନୃତ୍ୟ, ଏବଂ ଆାଦିବାସୀ ନୃତ୍ୟ। ଶେଷରେ ବହୁ ପ୍ରତୀକ୍ଷିତ ନାଟକ ଛାୟା ପୁରୁଷ ବେଶ ମନୋମୁଗ୍ଧ କରିଥିଲା ।