ଏସିଆ କପ୍ ପାଇଁ ଭାରତ ଯଦି ପାକିସ୍ତାନ ନଆସେ, ଆମେ ବି ବିଶ୍ୱକପ୍ ଖେଳିବାକୁ ଭାରତ ଯିବୁନି: ରମିଜ୍ ରାଜା

ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅଧ୍ୟକ୍ଷ ରମିଜ ରାଜା ପୁଣିଥରେ ନିଜ ବୟାନ ଜରିଆରେ ବିଷ ଓଗାଳିଛନ୍ତି । ସେ ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇର ସଚିବ ଜୟ ଶାହଙ୍କ ବୟାନ ଉପରେ ପୁଣିଥରେ ଜବାବ ଦେଇ କହିଛନ୍ତି ଯଦି ଭାରତୀୟ ଟିମ୍ ପାକିସ୍ତାନ ଆସିବ ନାହିଁ, ତେବେ ତାଙ୍କୁ ଆମକୁ ଛାଡ଼ି ବିଶ୍ୱକପ୍ ଖେଳିବାକୁ ପଡ଼ିବ । ପ୍ରକାଶଯୋଗ୍ୟ, ରାଜନୈତିକ ଉତ୍ତେଜନା କାରଣରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୦୧୨ ପରଠୁ ହିଁ କୌଣସି ଦ୍ୱିପାକ୍ଷୀୟ ସିରିଜ ଖେଳାଯାଇନାହିଁ ।

ଯେତବେଳେ କି ଟିମ୍ ଇଣ୍ଡିଆ ୧୪ ବର୍ଷ ହେବ ପାକିସ୍ତାନ ଗସ୍ତରେ ଯାଇନାହିଁ । ଶେଷ ଥର ୨୦୦୮ରେ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଥିଲା ଦଳ । ଆଗାମୀ ବର୍ଷ ପାକିସ୍ତାନ ଏସିଆ କପର ଆୟୋଜନ କରିବ । ଏହାକୁ ନେଇ ନିକଟରେ ବିସିସିଆଇ ସଚିବ ଜୟ ଶାହ କହିଥିଲେ ଯେ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତରେ ଯିବ ନାହିଁ । ତାଙ୍କ ଏହି ବୟାନ ପରଠୁ ପାକିସ୍ତାନ ବିଚଳିଚ ହୋଇ ପଡ଼ିଛି ।

ପିସିବି ତୁରନ୍ତ ବୟାନ କହିଥିଲା ଯେ, ସେ ଆଗାମୀ ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଭାରତ ଗସ୍ତରେ ଯିବନାହିଁ । ପୁଣିଥରେ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ରମିଜ ରାଜା ସେହି ବୟାନକୁ ଦୋହରାଇଛନ୍ତି । ରମିଜ ଏକ ଉର୍ଦ୍ଦୁ ନ୍ୟୁଜ ସାକ୍ଷାତକାରରେ କହିଛନ୍ତି, ଯଦି ପାକିସ୍ତାନ ଟିମ ଆଗାମୀ ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଖେଳିବ ନାହିଁ ତେବେ ଟୁର୍ଣ୍ଣାମେଣ୍ଟ କିଏ ଦେଖିବ । ଏହି ମାମଲାରେ ଆମର ସ୍ପଷ୍ଟ ଆଭିମୁଖ୍ୟ ଯେ, ଯଦି ଭାରତୀୟ ଟିମ ଯଦି ଏଠାକୁ ନଆସେ ତେବେ ଆମେ ମଧ୍ୟ ବିଶ୍ୱକପ୍ ଖେଳିବା ପାଇଁ ସେଠାକୁ ଆସିବୁ ନାହିଁ ।