ଆରପାରିରେ ରାମାୟଣର ଅଭିନେତା ସୁଗ୍ରିବ,ମନେ ପକାଇଲେ ରାମ-ଲକ୍ଷ୍ମଣ
ମୁମ୍ବାଇ: ରାମାନନ୍ଦ ସାଗରଙ୍କ ରାମାୟଣରେ ସୁଗ୍ରିବ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦରଙ୍କର ଦେହାନ୍ତ ହୋଇଛି । ଶ୍ୟାମ ସୁନ୍ଦର କିଛି ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ । ୬ ଏପ୍ରିଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୂଚନାନୁସାରେ, କଙ୍ଗ୍ରାଠାରେ ଶ୍ୟାମ ସୁନ୍ଦରଙ୍କର ମୃତ୍ୟୁ ହୋଇଛି ।
‘ରାମାୟଣ’ରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ ଏବଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସୁନୀଲ ଲାହିରୀ ଟ୍ୱିଟ୍ କରି ଶ୍ୟାମଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ଶ୍ୟାମ ସୁନ୍ଦର ରାମାୟଣରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଯଦିଓ ଏହପରେ ତାଙ୍କ ଅଭିନୟ ଜୀବନ ବହୁ ଦୂର ପର୍ଯ୍ୟନ୍ତ ଯାଇପାରି ନଥିଲା । ରାମାୟଣକୁ ଭାରତୀୟ ଟେଲିଭିଜନ ଇତିହାସରେ ସବୁଠାରୁ ସଫଳ ସିରିଏଲ ଭାବେ ବିବେଚନା କରାଯାଏ । ୧୯୮୭ରେ ରାମାୟଣ ପ୍ରଥମେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । ସେତେବେଳେ ଏହି ସିରିଏଲଟି ଟେଲିଭିଜନରେ ରେକର୍ଡ ସୃଷ୍ଟି କରିଥିଲା । ବର୍ତ୍ତମାନ ଦେଶରେ କରୋନା ପାଇଁ ଚାଲିଥିବା ଲକ୍ ଡାଉନ ଯୋଗୁଁ ରାମାୟଣ ପୁଣିଥରେ ଦୂରଦର୍ଶନରେ ପ୍ରସାରିତ କରାଯାଇଛି ।