ବିଜେପିରେ ଯୋଗ ଦେଲେ ଅରୁଣ ଗୋବିଲ, ଦିଦିଙ୍କ ଗଡ଼ରେ କରିବେ ପ୍ରଚାର

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ସିରିଆଲ ‘ରାମାୟଣ’ରେ ଭଗବାନ ରାମଙ୍କ ଚରିତ୍ର ରୂପାୟନ କରିଥିବା, ଘରେ ଘରେ ଅତି ପରିଚିତ ଅଭିନେତା ଅରୁଣ ଗୋବିଲ ବିଜେପିରେ ଯୋଗ ଦେଇଛନ୍ତି । ୫ ରାଜ୍ୟରେ ( ପଶ୍ଚିମବଙ୍ଗ, କେରଳ, ପୁଡୁଚେରୀ, ଆସାମ ଏବଂ ତାମିଲନାଡୁ) ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅରୁଣ ଗୋବିଲଙ୍କ ବିଜେପିରେ ଯୋଗ ଦେବା ଖୁବ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଅରୁଣ ଗୋବିଲ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ବିଜେପି ନେତା ଅରୁଣ ସିଂହ ମଧ୍ୟ ସାମିଲ ଥିଲେ ।

ପୂର୍ବ ବର୍ଷ ଲକଡାଉନ ଲାଗୁ ହେବା ପରେ କେନ୍ଦ୍ର ସରକାର ଦୂରଦର୍ଶନରେ ରାମାୟଣ ସିରିଆଲର ପୁନଃ ପ୍ରସାରଣ କରାଇଥିଲେ । ଲକଡାଉନରେ ଏହି ସିରିଆଲକୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ । ଅବଶ୍ୟ ଅରୁଣ ଗୋବିଲ କୌଣସି ରାଜନୈତିକ ଦଳରେ ସାମିଲ ହେବା ନିଷ୍ପତ୍ତି ନେଇନଥିଲେ ।

ବିଜେପିରେ ସାମିଲ ହେବା ସହ ଅରୁଣ ପଶ୍ଚିମବଙ୍ଗରେ ଦଳ ପାଇଁ ପ୍ରଚାର ମଧ୍ୟ କରିବେ । ଗୋଟେ ପଟେ ବିଜେପି ପଶ୍ଚିମବଙ୍ଗରେ ‘ଜୟ ଶ୍ରୀରାମ’ ନାରା ଜୋରସୋରରେ ଦେଉଥିବାବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଣ୍ଡି ପାଠ କରୁଛନ୍ତି । ପଶ୍ଚିମବଙ୍ଗରେ ‘ରାମାୟଣ’ର ରାମଙ୍କ ନିର୍ବାଚନୀ ପ୍ରଚାର ଦ୍ୱାରା ବିଜେପିକୁ ବଡ଼ ଲାଭ ହେବ ବୋଲି ଆଶା କରାଯାଉଛି ।

Leave a Reply