ଭଦ୍ରକରେ ରାମନବମୀ: ଏକାଠି ହେବେ ୮୦ରୁ ଅଧିକ ମେଢ଼, ସୁରକ୍ଷା ଦୃଷ୍ଟିରୁ ୪୦ ପ୍ଲାଟୁନ ଫୋର୍ସ ମୁତୟନ

ଭଦ୍ରକ: ଆଜି ପବିତ୍ର ରାମ ନବମୀ । ରାମ ନବମୀ ଉପଲକ୍ଷେ ଉତ୍ସବ ମୁଖର ସାରା ରାଜ୍ୟ । ଭଦ୍ରକ ଜିଲ୍ଲାରେ ମଧ୍ୟ ମହାଆଡମ୍ବରରେ ପାଳିତ ହେଉଛି  ଶ୍ରୀ ରାମ ନବମୀ ମହୋତ୍ସବ । ଗେରୁଆ ପତାକା ଓ ପ୍ରଭୁ ଶ୍ରୀରାମଙ୍କ ଫୋଟୋରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଛି ଭଦ୍ରକ ସହର । ଭଦ୍ରକ ସହରର ଗାନ୍ଧୀ ପଡିଆରେ ଶ୍ରୀ ରାମ ମହାଯଜ୍ଞ ସମିତି ତରଫରୁ ସପ୍ତାହେ ଧରି ଚାଲିଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି ଦିବସ । ଶେଷ ଦିନରେ ଆଜି ଅପରାହ୍ନରେ ଭଦ୍ରକ ସହରରେ ୧୨ କିଲୋମିଟର ପର୍ଯ୍ୟନ୍ତ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହେବ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମେଢ଼ ନେହେରୁ ଷ୍ଟାଡିୟମରୁ ଏକାଠି ହୋଇ ନଗର ସଂକୀର୍ତ୍ତନରେ ସାମିଲ ହେବେ । ପ୍ରାୟ ୮୦ରୁ ଅଧିକ ମେଢ଼ ସାମିଲ ହେବେ ।

ଆଜି ଅହରାହ୍ନରେ ହେବାକୁ ଥିବା ନଗର ସଂକୀର୍ତ୍ତନ ପାଇଁ ଭଦ୍ରକ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୩ ପ୍ଲାଟୁନ ରାପିଡ଼ ଆକ୍ସନ ଫୋର୍ସ ସହ ମୋଟ ୪୦ ପ୍ଲାଟୁନ ଫୋର୍ସ ଭଦ୍ରକରେ ମୁତୟନ ହୋଇଛନ୍ତି । ୩ ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୧୯ ଇନ୍ସପେକ୍ଟର, ୧୦୫ ଜଣ ଏସଆଇ ଓ ଏଏସଆଇ ମୁତୟନ ହୋଇଛନ୍ତି । ନଗର ସଂକୀର୍ତ୍ତନ ହେବାକୁ ଥିବା ରୁଟରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ଭଦ୍ରକ ସହରରେ ପାଟ୍ରୋଲିଂ ଟିମ୍ ମଧ୍ୟ ପଇଁତରା ମାରୁଛନ୍ତି ।